Categories: ବାଣିଜ୍ୟ

ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା ଉଚିତ ବୋଲି ଶିଳ୍ପ ସଂଘଗୁଡିକ ଏକ ମିଳିତ ଖବରଦାତା କାର୍ଯ୍ୟକ୍ରମରେ ଏଭଳି ଦାବି ଉଠାଇଛନ୍ତି। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ସ୍ବାର୍ଥକୁ ଜଗିବା ଏବଂ ସ୍ଥାନୀୟ କ୍ଷୁଦ୍ରଶିଳ୍ପର ବିକାଶ ଲାଗି ଉଦ୍ଦିଷ୍ଟ ଥିବା ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ପୂର୍ବଭଳି ବଜାୟ ରଖିବାକୁ ସଂଘ ଦାବି କରିଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଏଭଳି ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ରାଜ୍ୟର ପ୍ରାୟ ୧ ହଜାର ଏମ୍‌ଏସ୍‌ଏମ୍‌ଇ ବନ୍ଦ ହେବା ସହ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କ ଚାକିରି ଚାଲିଯିବ ବୋଲି ଆଶଙ୍କା କରାଯାଇଛି। ଏହି ସମସ୍ୟାକୁ ନେଇ ଶିଳ୍ପୋଦ୍ୟୋଗୀ ଆମରଣ ଅନଶନରେ ବସିବା ନେଇ କହିଛନ୍ତି। ରାଜ୍ୟରେ ଗଭର୍ନମେଣ୍ଟ ଇ-ନାମ(ଜିଇଏମ୍‌) ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ ହେଲେ ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ସାମଗ୍ରୀ ଓ ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି କରିବ।
ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ସାମଗ୍ରୀର ପୂର୍ବ ଏବଂ ତଦାରଖ ବ୍ୟବସ୍ଥାରେ ଜିଇଏମ୍‌ରେ ନ ଥିବା ସଂଘଗୁଡିକ କହିଛନ୍ତି। ଦର ଚୁକ୍ତି ବା ରେଟ୍‌ କଣ୍ଟ୍ରାକ୍ଟ ଓଡ଼ିଶାର ଏକ ଅଦ୍ୱିତୀୟ ସଂଗ୍ରହ ବ୍ୟବସ୍ଥା ହୋଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ଯୋଗୁ ଏହା ସତ୍ତା ହରାଇଥିବାରୁ ସଂଘଗୁଡିକ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏମ୍‌ଏସ୍‌ଏମ୍‌ଇ ମାରଣ ନୀତିକୁ ତ୍ୟାଗକରି ସରକାର କ୍ଷୁଦ୍ରଶିଳ୍ପ ବିକାଶ କଥା ଚିନ୍ତା କରନ୍ତୁ ବୋଲି ମିଳିତ ଖବରଦାତା କାର୍ଯ୍ୟକ୍ରମରେ ସଂଘଗୁଡିକ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ସଂଘ ଓସିଆର ସଭାପତି ସ୍ମରଜିତ ମହାନ୍ତି, ଓଇଆର ସଭାପତି ମିହିର କାନୁନେ୍‌ଗା, ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ, ଓଇଆ ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ ଏବଂ ୟୁପିଏମ୍‌ଇ ସଭାପତି ଭାଗୀରଥି ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Share