ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଉଦ୍‌ଘାଟିତ

ସମ୍ବଲପୁର, (ବ୍ୟୁରୋ)/କଟକ ଅଫିସ,୧।୫: ସମ୍ବଲପୁର ଜିଲାରେ ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଶୁକ୍ରବାର ଉଦ୍‌ଘାଟିତ ହେବା ସହ ଦ୍ୱିତୀୟ ସିନିୟର ସିଭିଲ କୋର୍ଟ (ଜମି ଅଧିଗ୍ରହଣ ସମ୍ବନ୍ଧୀୟ) ଓ ଡିଜିଟାଲ ରେକର୍ଡ ରୁମ୍‌ ଲୋକାର୍ପଣ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଆବଶ୍ୟକ ଭିତ୍ତିଭୂମି, ଆଧୁନିକୀକରଣ, ଡିଜିଟାଲାଇଜେଶନ, ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ଲୋକେ ସୁବିଧାରେ ନ୍ୟାୟ ପାଇପାରିବେ। ସମ୍ବଲପୁର ଜିଲା ଜଜ୍‌ ବିରଞ୍ଚତ୍ ନାରାୟଣ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଜଜ୍‌ ବି.ଆର୍‌. ଷଡ଼ଙ୍ଗୀ ଓ ଜିଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ ନିଜ ମତ ରଖିଥିଲେ। ଏଠାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣିଜି୍ୟକ ସମ୍ବନ୍ଧୀୟ ଠକେଇ ମାମଲାର ବିଚାର କରାଯିବ। ଅନ୍ୟପଟେ ଦ୍ୱିତୀୟ ସିନିୟର ସିଭିଲ କୋର୍ଟ ଆରମ୍ଭ ହୋଇଥିବାରୁ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲାର ବିଚାର ହୋଇପାରିବ।
ସେହିପରି କଟକ, ଗଞ୍ଜାମ, ବାଲେଶ୍ୱର ଜିଲାରେ ଜିଲା କୋର୍ଟ ଡିଜିଟାଇଜେଶନ ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସେଣ୍ଟର ମାଧ୍ୟମରେ ଶେଷ ହୋଇଥିବା ମାମଲାଗୁଡିକର ସମସ୍ତ ରେକର୍ଡ ସ୍କାନିଂ ଓ ଡିଜିଟାଇଜେଶନ କରାଯିବ। ଗତ ୪ ମାସରେ ବିଭିନ୍ନ କୋର୍ଟରେ ୯୩ ହଜାର ୬୫ ମାମଲା ସମ୍ପର୍କିତ ୭୧ ଲକ୍ଷ ୯୮ ହଜାର ୨୩ ପୃଷ୍ଠାର ରେକର୍ଡ ସ୍କାନ କରାଯାଇଛି। ସେହିପରି ହାଇକୋର୍ଟର ୨ ଲକ୍ଷ ୮୯ ହଜାର ୨୭୨ ମାମଲା ସମ୍ପର୍କିତ ୨ କୋଟି ୨୪ ଲକ୍ଷ ୮୬ ହଜାର ୭୧୭ ପୃଷ୍ଠାର ରେକର୍ଡ ସ୍କାନ କରାଯାଇଛି। ହାଇକୋର୍ଟ କମ୍ପ୍ୟୁଟର କମିଟି ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଓ ଓସିଏସିର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ।

Share