ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତ ଢ଼ିପାସାହିଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ଦୃତ୍ତ ଭାଙ୍ଗି ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ୩ ବର୍ଷ ପୂର୍ବେ ଢ଼ିପାସାହିଠାରେ ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଏଠାରେ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ପାଳନ କରାଯାଏ। ତେବେ ଗୁରୁବାର ସକାଳେ କେହି ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ତଳେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଶୁକ୍ରବାର ଆଦିବାସୀମାନଙ୍କ ଏକ ପ୍ରତିନିଧି ଦଳ ଭଙ୍ଗା ଯାଇଥିବା ପ୍ରତିମୂର୍ତ୍ତିସ୍ଥଳକୁ ଯାଇ ବୁଲି ଦେଖିଥିଲେ। ଏଥିରେ ଜିଲା ପରିଷଦ ସଦସ୍ୟ ସମାଇଁ ପୂର୍ତ୍ତି, ଗଣେଶ ଗାଗରାଇ,ସରପଞ୍ଚ ବାବୁଲି ହେମ୍ବ୍ରମ,ରାମଚନ୍ଦ୍ର ବଦରା,ବଗୁନ ଶୁଣ୍ଢି, ଗୌରାଙ୍ଗ ପ୍ରିସ୍‌ ବାନ୍ଦିଆ, ମାଣିକ ରାମ କେରାଇ ପ୍ରମୁଖ ସାମିଲ ଥିଲେ। ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଜଡିତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କମିଟିର ସଦସ୍ୟମାନେ ଦାବି କରିଛନ୍ତି।

Share