ଶ୍ରୀଲଙ୍କା ଉପକୂଳ ମୁହାଁଇଛି ବାତ୍ୟା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତ(ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅବପାତ ଶ୍ରୀଲଙ୍କାର ତ୍ରିଙ୍କୋମାଳି ଠାରୁ ୭୦୦ କି.ମି. ଏବଂ ପୂର୍ବ-ଦକ୍ଷିଣ-ପୂର୍ବ କନ୍ୟାକୁମାରୀଠାରୁ ୧୧୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବ। ଫଳରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ।
ଡିସେମ୍ବର ୩ ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଶୀତର ପରିମାଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟର ୧୦ଟା ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସୋନପୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗିବାଡିରେ ୯.୫, ଅନୁଗୋଳରେ ୧୦.୬, ବାରିପଦାରେ ୧୨.୪, ଝାରସୁଗୁଡାରେ ୧୩.୨, କେନ୍ଦୁଝରରେ ୧୨, ବଲାଙ୍ଗୀରରେ ୧୪, ଭବାନୀପାଟଣାରେ ୧୨.୮, କୋରାପୁଟରେ ୧୩, ଫୁଲବାଣୀରେ ୧୧.୩, ଏବଂ କଟକରେ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share