ପାଟଣା,୨୯।୫(ସ୍ବ.ପ୍ର.): ବାତ୍ୟା ୟାସ୍ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସାହାରପଡା ରାସ୍ତା ମଧ୍ୟରେ ଥିବା ଜହ୍ନଇନାଳ କଲଭର୍ଟ ଧୋଇ ହୋଇଯାଇଛି। ଏ ନେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି। ୟାସ୍ ଯିବାର ୩ ଦିନ ବିତି ଯାଇଥିଲେ ହେଁ ଘାଇ ମରାମତି ହୋଇ ପାରି ନାହିଁ। ସାହାରପଡା, ଉଦୟପୁର, କରଞ୍ଜିଆ ଆଦି ଅଞ୍ଚଳର ଲୋକମାନେ ଉକ୍ତ ରାସ୍ତା ଉପରେ ନିର୍ଭର କରି କେନ୍ଦୁଝର ତୁରୁମୁଙ୍ଗା ଯିବାଆସିବା କରୁଥିବା ବେଳେ ପାଟଣା ବ୍ଲକ ଅଧୀନ ୭ରୁ ୮ ପଞ୍ଚାୟତର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରି ଉଦୟପୁର, ସାହାରପଡା ଓ କରଞ୍ଜିଆ ଯାଇଥାନ୍ତି। ଏହି ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।