ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତରେ ପରିଣତ ହୋଇଛି। ଏହା କ୍ରମେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଅବପାତ କ୍ରମେ ଘନୀଭୂତ ହୋଇ ୧୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ପହଞ୍ଚି ଗଭୀର ଅବପାତର ରୂପ ନେବ। ପରେ ଧିରେ ଧିରେ ଗତିପଥ ପରିବର୍ତ୍ତନ କରି ବାତ୍ୟା ରୂପ ନେବ। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶା ଉପକୂଳମୁହାଁ ହେବ। ବାତ୍ୟାର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କି.ମି. ରହିବ। ସମୁଦ୍ର ମଧ୍ୟଦେଇ ଯାଉଥିବାରୁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ। ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ କିମ୍ବା ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ଦେଇ ଗଲାବେଳେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହିତ ବର୍ଷା ହେବ। ଲଘୁଚାପକୁ ଦୃଷ୍ଟିରେ ରଖି ୧୫ରୁ ୧୮ ତାରିଖ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Share