୧୦୦ କିମି ବେଗରେ ସ୍ଥଳଭାଗ ଛୁଇଁବ ବାତ୍ୟା, ସବୁ ବନ୍ଦରରେ ୧ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨ା୧୨: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି. ବେଗରେ ଗତି କରୁଛି। ଗଭୀର ଅବପାତ ପୁଡୁଚେରିର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି., ନେଲୋରଠାରୁ ୫୦୦ କି.ମି. ଏବଂ ମଚ୍ଛଲିପଟନମ୍‌ଠାରୁ ୬୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ବାତ୍ୟା ୪ ତାରିଖ ଅପରାହ୍ନରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ କୂଳରେ ପହଞ୍ଚିବ । ୫ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଦିଗକୁ ଗତିକରି ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମ୍‌ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ଓ ବେଳେ ବେଳେ ୧୦୦ କି.ମି. ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହାର ପ୍ରଭାବରେ ଆସନ୍ତା ୫ରୁ ୮ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୫ ତାରିଖରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ପ୍ରବଳ (୭ରୁ ୨୦ ସେ.ମି.) ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Share