Categories: ଖେଳ

ମାତ୍ର ୨୯ ଦିନରେ ବଦଳିଗଲା ପାକିସ୍ତାନୀ କ୍ରିକେଟର ଶାନ ମସୁଦଙ୍କ ଜୀବନ, ଗୋଟିଏ ପରେ ଗୋଟିଏ…

ଇସଲାମାବାଦ,୧୪।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ କରେ ବାବର ଆଜମ ଅଧିନାୟକ ପଦ ଛାଡ଼ିଥିଲେ। ଏବେ ଶାନ ମସୁଦ ପାକିସ୍ତାନର ଟେଷ୍ଟ ଫର୍ମାଟର ଅଧିନାୟକ କରାଯାଇଛି। ଦିନଥିଲା ମସୁଦ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ହେଲେ ଏବେ ସେ ପାକିସ୍ତାନର ଅଧିନାୟକ ହେବେ। ବିଶେଷକରି ଡେବ୍ୟୁର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଆଉ ଏକ ଦଳର ଅଧିନାୟକ ଦାୟିତ୍ୱ ମିଳିଛି।

ପର୍ଥରେ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟ, ପାକିସ୍ତାନ ସୁପର ଲିଗ୍‌ର ‘ପ୍ଲେୟର୍ସ ଡ୍ରାଫ୍ଟ’ ଆୟୋଜିତ ହୋଇଥିଲା। ଯେଉଁଭଳି ଭାବେ ଆଇପିଏଲ୍‌ରେ ଖେଳାଳିଙ୍କ ଅକ୍ସନ ହୋଇଥାଏ, ସେହିଭଳି ପିଏସ୍‌ଏଲ୍‌ରେ ଖେଳାଳି ଚୟନକୁ ନେଇ ଡ୍ରାଫ୍ଟ ସିଷ୍ଟମ୍‌ ଆପଣାଯାଇଥାଏ। ଏହି କାର୍ଯ୍ୟକ୍ରମର ଠିକ ପୂର୍ବରୁ ପିଏସ୍‌ଏଲ୍‌ର ପୂର୍ବ ଚାମ୍ପିୟାନ କରାଚି କିଙ୍ଗ୍ସ ପାକିସ୍ତାନର ଟେଷ୍ଟ ଅଧିନାୟକ ମସୁଦଙ୍କୁ ଫ୍ରାଞ୍ଚାଇଜ୍‌ର ମଧ୍ୟ ଅଧିନାୟକ ନିଯୁକ୍ତ କରାଯାଇଛି।

କହିବାକୁ ଗଲେ ଗତ ୧ ମାସ ମସୁଦଙ୍କ ପାଇଁ ଭଲ ରହିଥିଲା। ନଭେମ୍ବର ୧୫ରେ ବାବର ଇସ୍ତଫା ଦେବା ପରେ ପାକିସ୍ତାନ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା। ଏବେ ସେ ନେତୃତ୍ୱ ନେବାକୁ ଯାଉଥିବାରୁ ଦଳରୁ ବାଦ୍‌ ପଡ଼ିବା ଆଶଙ୍କା ଶୂନ। ତାଙ୍କ ପାଉଣା ମଧ୍ୟ ବଢ଼ିଛି। ପ୍ରଥମେ ସେ ‘ଡି’ କାଟାଗୋରୀରେ ଥିବା ବେଳେ ଏବେ ‘ବି’ରେ ରଖାଯାଇଛି। ଏହାଛଡ଼ା ପ୍ରଥମ ଥର ଲାଗି ପିଏସ୍‌ଏଲ୍‌ରେ ଅଧିନାୟକ ଭାବେ ସୁଯୋଗ ମିଳିଛି। ଏସବୁ ଦେଖିଲେ ସେ ଗତ ୨୯ ଦିନକୁ କେବେ ବି ଭୁଲିବେ ନାହିଁ ବୋଲି କୁହାଯାଉଛି।

Share