Categories: ମେଟ୍ରୋ

ଅଫିସ୍‌ ସ୍ମୋକିଂ ଜୋନ୍‌ର କାହାଣୀ କହିଲା ‘ଧୂମ୍ରପାନ’

ଭୁବନେଶ୍ୱର,୧୯ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଏକ କର୍ପୋରେଟ ବିଲ୍ଡିଂରେ ଧୂମପାନ କରିବା ପାଇଁ ଥିବା ଏକ ସ୍ଥାନରୁ ଗତିଶୀଳ ହୁଏ ନାଟକ ‘ଧୂମ୍ରପାନ’। ଯେଉଁଠାରେ ଅଫିସ କର୍ମଚାରୀମାନେ ସିଗାରେଟ ଟାଣିବା ପାଇଁ ଏକତ୍ରିତ ହୁଅନ୍ତି। ଚାକିରିରେ ଥିବା ଚାପ, ଭୟ ଏବଂ ଅସୁରକ୍ଷିତତା ସହିତ ପ୍ରତି ମୁହୂର୍ତ୍ତରେ ମୁକାବିଲା, ତର୍ଜମା, ଅଫିସ୍‌ ରାଜନୀତି ଓ ପାରସ୍ପରିକ ସମ୍ପର୍କ ବିଷୟରେ ଆଲୋଚନା ଚାଲିଥାଏ। ସବୁଠୁ ବେଶି ଚର୍ଚ୍ଚାରେ ଥା’ନ୍ତି ଅଫିସ୍‌ ମୁଖ୍ୟ ବା ବସ୍‌। ଏପରି ଜଣେ ରାଗୀ ବସ୍‌ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସନ୍ତି ବିଶିଷ୍ଟ ଅଭିନେତା କୁମୁଦ ମିଶ୍ରା। ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ସ୍ମୋକିଂ ଜୋନ୍‌ରେ ଜଣକ ପରେ ଜଣେ ଆସି ଖଟି ଜମାନ୍ତି। ସେମାନଙ୍କ ମଧ୍ୟରେ ଅଫିସରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା ଚାଲେ, ପରସ୍ପର ମଧ୍ୟରେ ସମ୍ପର୍କ ଗଢ଼ିଉଠେ। ଘଟଣାକ୍ରମେ ଅଫିସ୍‌ର ଜଣେ ସିନିୟର କର୍ମଚାରୀ ଏକନାଥ୍‌ଙ୍କ ଚାକିରି ଯାଏ। ଏପରିସ୍ଥିତିରେ ମାଲିକଙ୍କଠୁ ନେଇ ସମସ୍ତ କର୍ମଚାରୀଙ୍କ ହାତରେ ଦେଖିବାକୁ ମିଳେ ସିଗାରେଟ୍‌। ଯେମିତି ସିଗାରେଟ ସମସ୍ତଙ୍କୁ ବିଭିନ୍ନ ସମସ୍ୟା, ଚାପରୁ ମୁକ୍ତ କରି ଶାନ୍ତି ଦେଉଛି। ସିଗାରେଟ୍‌ ଉପରେ ବଡ଼ ବଡ଼ ଅକ୍ଷରରେ ଦେହ ପାଇଁ କ୍ଷତିକାରକ ଲେଖା ହେଲା ପରେ କେବଳ ଯୁବପିଢ଼ି ନୁହନ୍ତି, କାମ ଚାପରେ କିଭଳି ସିଗାରେଟ୍‌କୁ ସମସ୍ତେ ଆପଣେଇ ନିଅନ୍ତି ତାହାକୁ ନେଇ ନାଟକ ‘ଧୂମ୍ରପାନ’ ଶୁକ୍ରବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଛି। ନାଟକରେ ଅଭିନେତା ମିଶ୍ରାଙ୍କ ବ୍ୟତୀତ ଜଣାଶୁଣା କଳାକାର ତାରୁକ୍‌ ରାଇନା, ଶୁଭ୍ରଜ୍ୟୋତି ବରାତ୍‌, ଘନଶ୍ୟାମ ଲାଲ୍‌ଶା, ସିଦ୍ଧାର୍ଥ କୁମାର, ସାର୍ଥକ କାକ୍‌ର, ଅସ୍ମିତା ମେଘ୍ରାଜାନି ପ୍ରମୁଖ ଅଭିନୟ କରିଛନ୍ତି। ଜେନ୍‌ ଫାଉଣ୍ଡେଶନ ପକ୍ଷରୁ ଏହି ନାଟକ ମଞ୍ଚସ୍ଥ ହୋଇଯାଇଛି। ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ଗାର୍ଗୀ ଭଟ୍ଟାଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ମିଡିଆ ପାର୍ଟନର୍‌ ରହିଥିଲା।

Share