ସପ୍ତାହେ ହେବ ଜଳୁନି ଷ୍ଟ୍ରିଟ ଲାଇଟ

ଆଳି,୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗଁା ଗହଳିଠାରୁ ଆରମ୍ଭ କରି ବଜାର ଘାଟ ସବୁ ସ୍ଥାନରେ ଆଲୋକୀକରଣ ନିମନ୍ତେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିଛନ୍ତି। ଏହି ଅବସରରେ ଆଳି ବ୍ଲକ ନିଆଳ ପଞ୍ଚାୟତର ହାଟ ନିକଟରୁ ଆଳି ରାଜବାଟି ପର୍ଯ୍ୟନ୍ତ ଆଲୋକୀକରଣ ନିମନ୍ତେ ଷ୍ଟ୍ରିଟ ଲାଇଟ ଲଗାଯାଇଛି। ଏହି ଆଲୋକୀକରଣ ପରେ ନିଆଳ ଗ୍ରାମ ଆଲୋକୀକରଣ ହେବା ସହ ମହାବୀର ବଜାର, ତହସିଲ ରୋଡ, ଦେମାଳ ଆଦି ଗ୍ରାମ ଆଲୋକିତ ହୋଇଥିଲା। କିନ୍ତୁ ସପ୍ତାହେ ହେବ ନିଆଳ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମହାବୀର ବଜାର ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟ ଲାଇଟ ଜଳୁନାହିଁ। ଫଳରେ ମହାବୀର ବଜାର ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିଛି। ବଜାର ଆଲୋକୀକରଣ ନିମନ୍ତେ ଲାଗିଥିବା ଏହି ଷ୍ଟ୍ରିଟ ଲାଇଟ ଅଚଳ ହୋଇ ପଡିଥିବାରୁ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଷ୍ଟ୍ରିଟ ଲାଇଟ ମରାମତି କରିବା ନିମନ୍ତେ ମହାବୀର ବଜାରର ବ୍ୟବସାୟୀମାନେ ଦାବି କରିଛନ୍ତି।