ଶୁଦ୍ଧିକ୍ରିୟା ଭୋଜିରେ ବଡ଼ ସଡୁଙ୍କ ଛୁରା ମାଡ଼ରେ ସାନ ମୃତ

ଦିଗପହଣ୍ଡି,୨୨ା୫: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମ ଗୌଡ଼ ସାହିରେ ଶନିବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ବେଳେ ଧାର ଟଙ୍କା ପରିଶୋଧ ପାଇଁ ୨ ସଡୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗି ଯାଇ ବଡ଼ ସଡୁ ଜଗନ୍ନାଥ ମହାରଣା ଓରଫ ଜଗାଙ୍କ ଛୁରା ମାଡ଼ରେ ସାନ ସଡୁ କୁନା ମହାରଣା ଗୁରୁତର ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା ପଠାଇଛି। ଏ ନେଇ ଏକ ମାମଲା(ନଂ.୧୨୦/ ୨୧) ରୁଜୁ ହୋଇଛି।
ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତଭିଜା ଛୁରି, ବାଇକ୍‌ ସମେତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌କୁ ଜବତ କରିଛି। ପାଟପୁର ଥାନା ଦୁଦୁରାପଦର ଗ୍ରାମରେ ରହୁଥିବା ଭୁଡୁକି ଗ୍ରାମର ଅଭିଯୁକ୍ତ ଜଗନ୍ନାଥଙ୍କୁ ପୋଲିସ ଥାନାରେ ଅଟକ ରଖିଛି।
ତଦନ୍ତକାରୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କ ସୂଚନା ମୁତାବକ, ଭୁଡୁକି ଗ୍ରାମର କୁନା ତାଙ୍କ ସ୍ତ୍ରୀଙ୍କ ସହ ଦିଗପହଣ୍ଡି ଥାନା ଅଧୀନ ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ରହି ରାଜମିସ୍ତ୍ରି କାମ କରୁଥିଲେ। ବଡ଼ ଡୁମ୍ବୁଳା ଗ୍ରାମରେ ରହୁଥିବା ଶ୍ୱଶୁର ଦୀନବନ୍ଧୁ ମହାରଣାଙ୍କ ଶୁଦ୍ଧିକ୍ରିୟା ଭୋଜିକୁ ଉଭୟ ସଡୁ ଆସିଥିଲେ। ୨୦୧୯ରେ କୁନାଙ୍କ ବିବାହ ସମୟରେ ଜଗନ୍ନାଥ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଗ୍ରୁପ ଲୋନ ଆଣି କୁନାଙ୍କୁ ଦେଇଥିଲେ। ଋଣ ଟଙ୍କା ପରିଶୋଧ ପାଇଁ କୁନା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ଟଙ୍କା ପରିଶୋଧ କରି ନ ଥିଲେ। ଏଥିରେ ଜଗନ୍ନାଥ ରାଗିଯାଇ ଏକ ଛୁରିରେ କୁନାଙ୍କ ଛାତିକୁ ଆକ୍ରମଣ କରିଥିଲେ।

Share