ବ୍ରହ୍ମପୁର,୧୧ା୪(ସୁବାସ ଚନ୍ଦ୍ର ପାଢ଼ୀ):ଜୀବନ କ’ଣ ଜାଣିବା ପୂର୍ବରୁ ଭଗବାନ ଆଖି ନେଇଗଲେ। ତଥାପି ହାରି ନ ଥିଲି। ଆଗକୁ ବଢ଼ିବାର ଆଶା ରଖି ସ୍ନାତକୋତ୍ତର ଯାଏ ପାଠ ପଢ଼ିଲି। ଚାକିରି ଖୋଜି ଖୋଜି ହାରିଗଲି। ବଞ୍ଚିବା ପାଇଁ ରୋଜଗାର ଲୋଡା। ତେଣୁ ୧୩ ବର୍ଷ ହେଲା ରୋଜଗାର ପାଇଁ ସଂଘର୍ଷ କରୁଛି ବୋଲି କହିଛନ୍ତି ବିଶ୍ୱନାଥ ମହାରଣା। ପୋଲସରା ଖଣ୍ଡିସାହିରେ ବିଶ୍ୱନାଥଙ୍କ ଜନ୍ମ। ବାପା, ମା, ୪ ଭାଇ ଓ ୨ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ୭ ବର୍ଷର ହୋଇଥିବା ବେଳେ ବିଶ୍ୱନାଥଙ୍କ ଆଖି ଧରିଥିଲା। କିଛି ଦିନ ପରେ ସେ ସ୍ପଷ୍ଟ ଭାବେ କିଛି ଦେଖିପାରୁ ନ ଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଧିରେ ଧିରେ ଦୃଷ୍ଟିଶକ୍ତି ଚାଲିଗଲା। ପରୀକ୍ଷା ପରେ ଆଖି ଦୁଇଟି ନଷ୍ଟ ହୋଇଯାଇଛି ବୋଲି ଡାକ୍ତର କହିଥିଲେ । ଯଦି କିଏ ଆଖି ଦେଇପାରିବ ତେବେ ସେ ଦେଖି ପାରିବେ। ଯାହାକି ଗରିବ ବିଶ୍ୱନାଥଙ୍କ ପରିବାର ପକ୍ଷେ ସମ୍ଭବ ହୋଇନଥିଲା। ଇତିମଧ୍ୟରେ ମା’ ଆରପାରିକୁ ଚାଲିଗଲେ। ବିଭିନ୍ନ ସମସ୍ୟା ଭିତରେ ସେ ବ୍ରହ୍ମପୁର ଚାଲି ଆସିଥିଲେ। ଆମ୍ବପୁଆ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାଁ ଲେଖାଇଥିଲେ। ୧୯୯୫ରେ ଯୁକ୍ତ ୩ ପାଠପଢ଼ା ସରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ପଢ଼ିଥିଲେ। ପରେ ଟିଜିଟି (ଟିଚର ଗ୍ରାଜୁଏଟ ଟ୍ରେନିଂ) କୋର୍ସ ମଧ୍ୟ କରିଥିଲେ। ସରକାରୀ ଚାକିରି ପାଇଁ ଆବେଦନ କରି ବିଫଳ ହେଲେ। ପରେ କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସେଠି ବି ଠିକ ଭାବେ ଦରମା ମିଳି ନଥିଲା। ଦିନକୁ ଦୁଇବେଳା ଖାଇବାକୁ ମିଳିବାରେ ଅସୁବିଧା ହେଲା। ତେଣୁ ୨୦୧୧ରୁ ବାଧ୍ୟ ହୋଇ ସେ ବିଭିନ୍ନ ପାର୍କ ଓ ବଡମେଡିକାଲରେ ଓଜନ ମପା ଯନ୍ତ୍ରଟିଏ ଧରି ବସୁଛନ୍ତି। ସେଠାକୁ ଆସୁଥିବା ଲୋକେ ଓଜନ ମାପି ଯାହାକିଛି ଦେଲେ ତାହା ତାଙ୍କର ଆୟ। କୌଣସି ମଠ ବା ମନ୍ଦିର ତାଙ୍କର ଆଶ୍ରୟସ୍ଥଳ ପାଲଟୁଛି। ସରକାରଙ୍କ ପକ୍ଷରୁ ସହାୟତା କହିଲେ ମାସକୁ ୭୦୦ ଟଙ୍କା ଓ ୫ କିଲୋ ଚାଉଳ ମିଳୁଛି। କେହି ସାହାଯ୍ୟ ସହଯୋଗ କଲେ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରନ୍ତି ବୋଲି ବିଶ୍ୱନାଥ କହିଛନ୍ତି।