ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୨୦ା୫: ମାଟ୍ରିକ୍‌ ପରୀକ୍ଷାରେ ପୁଅ ୫୧୯ ନମ୍ବର ରଖି ଏ-୧ ଗ୍ରେଡ୍‌ ପାଇଥିଲେ। ଏଥିପାଇଁ ପରିବାର ଲୋକ ବେଶ୍‌ ଖୁସି ଥିଲେ। ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଖୁସି ବେଶି ସମୟ ରହିଲା ନାହିଁ। ତାଙ୍କ ସ୍ବପ୍ନ ଅଧାରେ ରହିଗଲା। ଶୁକ୍ରବାର ଘର ପାଖ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ର ଜଣକଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ବ୍ଲକ ଚରମ୍ପା ପଞ୍ଚାୟତ ଅଧୀନ ଶ୍ରୀରାମପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ମ୍ରିୟମାଣ ହୋଇପଡ଼ିଛନ୍ତି। ମୃତକ ହେଲେ ଗ୍ରାମର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ(୧୬)।
ଚନ୍ଦନ ବନ୍ଧଗଁା ହାଇସ୍କୁଲରେ ପାଠ ପଢ଼ି ମାଟ୍ରିକ ପରୀକ୍ଷା ଦେଇଥିଲେ। ୮୬.୫୦ ପ୍ରତିଶତ ନମ୍ବର ରଖିଥିବାରୁ ପରିବାର ଲୋକେ ପୁଅକୁ ଉଚ୍ଚଶିକ୍ଷା ଦେଇ ଡାକ୍ତର କିମ୍ବା ଇଞ୍ଜିନିୟର କରିବେ ବୋଲି ଆଶା କରିଥିଲେ। ଚନ୍ଦନ ମଧ୍ୟ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଇଚ୍ଛା ରଖିଥିଲେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା। ଗୋଟିଏ ଦିନରେ ସବୁ ଖୁସି ପାଣିରେ ମିଳେଇଗଲା। ମଧ୍ୟାହ୍ନରେ ପୋଖରୀରେ ଗାଧୋଉଥିବା ବେଳେ ଚନ୍ଦନ ବୁଡ଼ିଯାଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ଡାକ୍ତରଖାନା ପରିସରରେ ଲୋକଙ୍କ ଭିଡ଼ ଲାଗିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୩୫/୨୩) ରୁଜୁ ହୋଇଛି।