ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଛାତ୍ର

ରାଉରକେଲା,୩୧ା୧୦(ଡି.ଏନ): ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଥିବା ଛାତ୍ର ବିବେକ ସିଂହ ରାଉରକେଲାର ଛଅ ନମ୍ବର ସେକ୍ଟରରେ ରହୁଥିବା ବେଳେ ପାଞ୍ଚ ନମ୍ବର ସେକ୍ଟରର ଏକ ଘରୋଇ ସ୍କୁଲରେ ପଢୁଥିଲେ। ରବିବାର ସକାଳେ ବିବେକ ୬ ଜଣ ସାଙ୍ଗଙ୍କ ସହ ହମିରପୁରସ୍ଥିତ କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ବିବେକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଉଦ୍ଧାର କରିବାରେ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ବିବେକଙ୍କୁ ଖୋଜା ଚାଲିଛି।