ରାତି ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ତ

କୋରାପୁଟ,୧୫। : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୮ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି।  ହଷ୍ଟେଲରେ ରାତି ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।  ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ। ପରେ ସେମାନେ ନିଜ ନିଜ ରୁମ୍‌କୁ ଚାଲିଯାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଛାତ୍ରୀଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ସେମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଯାଇଥିବା ବେଳେ ୮ ଜଣ ଛାତ୍ରୀଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା।