କଟକ,୩ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ୭ଜଣ ଛାତ୍ର ନିଲମ୍ବନ ଘଟଣାକୁ ନେଇ ଛାତ୍ରଙ୍କ ଧାରଣା ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ହେଲେ କୁଳପତି କିମ୍ବା କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। ଶନିବାର ପ୍ରବଳ ବର୍ଷାରେ ଓଦା ହୋଇ ଛାତ୍ରମାନେ ଧାରଣାରେ ବସିଥିଲେ। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ରେଭେନ୍ଶା ଆସୁଥିବାରୁ ପୋଲିସ ଧାରଣାରତ ଛାତ୍ରଙ୍କୁ ଉଠାଇ ଦେଇଥିବା ଜଣାପଡିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯେ ପର୍ଯ୍ୟନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହାନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।
ସୂଚନା ମୁତାବକ, ଛାତ୍ରାବାସ କର୍ମଚାରୀ ଓ ଅନ୍ତେବାସୀଙ୍କ ମଧ୍ୟରେ ଗତ ମାସ ୧୧ ଓ ୧୨ ତାରିଖ ଘଟିଥିବା ଗଣ୍ଡଗୋଳ ଘଟଣାକୁ ଆଧାର କରି ଗୁରୁବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ୭ ଜଣ ଛାତ୍ରଙ୍କୁ ନିଲମ୍ବନ କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କର୍ତ୍ତୃପକ୍ଷଙ୍କ ଏଭଳି ଏକତରଫା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀଛାତ୍ରମାନେ ଶୁକ୍ରବାର ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ୭ ଜଣ ଛାତ୍ରଙ୍କ ମଧ୍ୟରୁ ୬ ଜଣ ଛାତ୍ରାବାସରେ ରହି ପାରିବେନାହିଁ। ୩ ଜଣ କୌଣସି କ୍ଲାସ୍ କିମ୍ବା ସେମିଷ୍ଟର ପରୀକ୍ଷା ଦେଇପାରିବେନାହିଁ। ବାକି ୩ ଜଣ ଛାତ୍ର ପାଠ ପଢା ଶେଷ ହେବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ନଜରରେ ରହିବେ। ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଛାତ୍ରମାନେ ଧାରଣାରେ ବସିଛନ୍ତି।