ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସିଲେ ଛାତ୍ର

ଦିଗପହଣ୍ଡି/ପାଟପୁର,୨୮।୬(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମସ୍ଥିତ ରଘୁନାଥ ହାଇସ୍କୁଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର ଜଣକ ହେଲେ ଓମ୍‌ ପ୍ରଧାନ। ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି। ଶିକ୍ଷକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବରପାଇ ପାଟପୁର ଆଇଆଇସି ଅଜୟ କୁମାର ସ୍ବାଇଁ ସଦଳବଳେ ହାଇସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକ ଏବଂ ଅନ୍ୟ ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ପଚରାଉଚୁରା କରି ଫେରିଛନ୍ତି।

ଗୁରୁବାର ସନ୍ଧ୍ୟାରେ ଗ୍ରାମର ଘରୋଇ ଟ୍ୟୁୟୁଶନରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଛାତ୍ର ଜଣକ ଓମ୍‌ଙ୍କୁ ଧମକ ଦେଇଥିଲେ। ସାମାନ୍ୟ ପାଟିତୁଣ୍ଡରେ ରାଗ ରଖି ତାଙ୍କ ସହପାଠୀ ଛାତ୍ର ଓମ୍‌ଙ୍କୁ ଛୁରାମାଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପାଟପୁର ଆଇଆଇସି ଅଜୟ କୁମାର ସ୍ବାଇଁ କହିଛନ୍ତି। ଏତଲାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଚନ୍ତି। ଆକ୍ରମଣରେ ସମ୍ପୃକ୍ତ ଛାତ୍ରଙ୍କୁ ପୋଲିସ ଥାନାକୁ ଆଣି ତଦନ୍ତ ଚଳାଇଛି।