ପୋଲିସକୁ ମାମୁ ଡାକିବାରୁ ଛାତ୍ରଙ୍କୁ ମାଡ଼

ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ପୋଲିସକୁ ମାମୁ ଡାକିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମହାଙ୍ଗା ପଡ଼ିଛି। ଏନେଇ ତାଙ୍କୁ ଜଣେ ପୋଲିସ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ କରାଯାଇଥିଲା।କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଏଏସ୍‌ଆଇ ଭଗବାନ ସାହୁ ରବିବାର ପୂର୍ବାହ୍ନରେ ପୋଲିସ କର୍ମଚାରୀଙ୍କ ସହ ଏକ ଭ୍ୟାନରେ ପାଟ୍ରୋଲିଂରେ ଯାଉଥିଲେ। ପଣସପଡ଼ିଆ ନିକଟରେ ଗାଡ଼ିଟି କୌଣସି କାରଣରୁ ଅଟକି ଥିଲା। ଏହି ସମୟରେ ସ୍ଥାନୀୟ ଗୋପପୁର ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ଚନ୍ଦନ(୧୧) ଉକ୍ତ ବାଟ ଦେଇ ବିଦ୍ୟାଳୟରୁ ଘରକୁ ଫେରୁଥିଲେ। ପାଟ୍ରୋଲିଂ ଗାଡ଼ିକୁ ଦେଖି ଚନ୍ଦନ ମାମୁଗାଡ଼ି ଗଲା ବୋଲି କହିଥିଲେ। ଏହାଶୁଣି ଏଏସ୍‌ଆଇ ସାହୁ ଉତ୍ତ୍ୟକ୍ତ ହୋଇ ପିଲାଟିକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିଥିଲେ। ଏଥିସହ ଗୋଡ଼ ତଳେ ପକାଇ ଭୁଲ ମାଗିବାକୁ ବାଧ୍ୟ କରିଥିଲେ। ଘଟଣା ସମ୍ପର୍କରେ ପିଲାଟି ଘରେ କହିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଟକ ଚାନ୍ଦବାଲି ରାସ୍ତାକୁ ପଣସପଡ଼ିଆ ଛକରେ ୧ଘଣ୍ଟା ଅବରୋଧ କରିଥିଲେ। ଏନେଇ ତ୍ୱରିତ କାର୍ଯ୍ୟାନଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ଖବରପାଇ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଚିନ୍ମୟୀ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲେ। ପରେ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ପହଞ୍ଚତ୍ ତଦନ୍ତ ପରେ ଏଏସ୍‌ଆଇ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।
ଏ ସମ୍ପର୍କରେ ସାହୁ କହିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ସାଲେପୁର ଏସ୍‌ଡିପିଓ ବାରିକ ଏ ବିଷୟରେ କହିଛନ୍ତି, ଏନେଇ ତଦନ୍ତ ଜାରି ରହିଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।