ସ୍କୁଲକୁ ଯାଉଥିବା ବେଳେ ପିଟିଦେଲା ଟ୍ରାକ୍ଟର, ଛିଟିକି ପଡ଼ି ଆଖି ବୁଜିଲେ ଛାତ୍ରୀ

ବାଲେଶ୍ୱର ଅଫିସ,୯।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ମହାବଳ ଛକରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ ଏକ ଟ୍ରାକ୍ଟର ପିଟିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତା ଛାତ୍ରୀ ଜଣକ ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ ବୋଲି ଜଣାଯାଇଛି।

ରଶ୍ମିତା ସକାଳେ ସାଇକେଲ ଯୋଗେ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗା ପ୍ରଶନ୍ନ ମହାବିଦ୍ୟାଳୟକୁ ଯାଉଥିଲେ। ମାତ୍ର ମହାବଳ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ପିଟିଥିଲା। ଫଳରେ ଛାତ୍ରୀଜଣକ ଦୂରକୁ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବାଲିଆପାଳ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉତ୍ୟକ୍ତ ଲୋକେ ଟ୍ରାକ୍ଟରକୁ ଅଟକ ରଖିବା ସହ ଡ୍ରାଇଭରକୁ ବାନ୍ଧି ରଖିଥିଲେ।

ଖବର ପାଇ ଶତାଧିକ କଲେଜ ଛାତ୍ରଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଡ୍ରାଇଭରଙ୍କୁ ଥାନାକୁ ନେଇଥିବା ଜଣାଯାଇଛି। ମୃତା ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share