ମଧ୍ୟାହ୍ନଭୋଜନ ପାଇଁ ଧାରଣାରେ ବସିଲେ ଛାତ୍ରୀଛାତ୍ର

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଗାଁ ପଞ୍ଚାୟତର ମାକୁନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବୁଧବାର ଧାରଣାରେ ବସିଛନ୍ତି।

ସୂଚନାନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ମୋଟ୍‌ ୧୩୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମଧ୍ୟାହ୍ନଭୋଜନର ଦାୟିତ୍ୱ ନେଇଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମ୍ବିକା ମହାନ୍ତ। ତେବେ ପ୍ରଧାନ ଶିକ୍ଷୟିତ୍ରୀ କିଛି ଦିନ ହେଲା ନିମ୍ନମାନର ମଧ୍ୟାହ୍ନଭୋଜନ ଖାଇବାକୁ ଦେଉଥିଲେ। ଅଳ୍ପ ପରିମାଣର ନିମ୍ନମାନର ଡାଲି, ପଚା ଅଣ୍ଡା ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଉଥିଲେ। ଏନେଇ ଅଭିଭାବକମାନେ ମୋରଡ଼ା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ପାଇଁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ବିଇଓ ବୁଧବାର ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ଆଜି ଅସନ୍ତୋଷ ଛାତ୍ରୀଛାତ୍ର ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ରାସ୍ତାରେ ଧାରଣାରେ ବସିଥିଲେ।
ପ୍ରଧାନଶିକ୍ଷୟିତ୍ରୀ ରୋଷେଇ ପାଇଁ ପଚା ଅଣ୍ଡା ଦେଇଥିଲେ ବୋଲି କହିଛନ୍ତି ପାଚିକା ସିଂହ ମାର୍ଣ୍ଡି। ସେହିପରି ଶିକ୍ଷକ ଦିନେଶ ଚନ୍ଦ୍ର ମହାନ୍ତ କହିଛନ୍ତି ତାଙ୍କୁ ପ୍ରଶାସନ ତରଫରୁ ହଷ୍ଟେଲ ଦାୟିତ୍ୱ ମିଳିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ହଷ୍ଟେଲରେ ଥିବା ଛାତ୍ରୀଛାତ୍ରଙ୍କ କୌଣସି ତଥ୍ୟ ତଥା ଦସ୍ତାବିଜ ନ ଦେବାରୁ ସେ ହଷ୍ଟେଲ ଦାୟିତ୍ୱ ନେଇପାରିନାହାନ୍ତି।
ତେବେ ବିଦ୍ୟାଳୟ କମିଟି ଚେୟାରମ୍ୟାନ ଉମାକାନ୍ତ ହାଁସଦା ଉପରୋକ୍ତ ସମସ୍ୟା ବାବଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେବା ବଦଳରେ ଯାହା ଦିଆଯାଉଛି ସେ ସବୁକୁ ଖାଇବାକୁ ପଡ଼ିବ ବୋଲି କହିଥିଲେ।
ତେବେ ଏମିତି ନିମ୍ନମାନର ଖାଦ୍ୟ ଦେବା ସହିତ ବିଦ୍ୟାଳୟରେ ଠିକ ଭାବରେ ପାଠପଢ଼ା ହେଉନାହିଁ ବୋଲି କହିଛନ୍ତି ଛାତ୍ରୀ ଶୁଭଶ୍ରୀ ମହାନ୍ତ, ଧରିତ୍ରୀ ମହାନ୍ତ, ମିନତୀ ସିଂ, କ୍ରିଷ୍ଣାପ୍ରିୟା ସିଂ ଓ ଛାତ୍ର ରାମ ହାଁସଦା, ଗଣେଶ ମୁର୍ମୁ, ଅଭିଜିତ ଟୁଡୁ ଏବଂ ଅନ୍ୟମାନେ। ତେବେ ଗତ ଆଠରୁ ୯ଦିନ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନ ପାଇଁ ଚାଉଳ, ଡାଲି, ପରିବା ଇତ୍ୟାଦି ନ ଦେବା ଫଳରେ ଗ୍ରାମବାସୀ ନିଜେ ରୋଷେଇ କରି ଖାଇବାକୁ ଦେଉଛନ୍ତି ବୋଲି କହିଛନ୍ତି ଟିକାରାମ ମହାନ୍ତ, ସୁମିତ୍ରା ହାଁସଦା, ରାଗିଆ ସିଂ, ରାଜୀବ ସିଂ, ପାନ ହେମ୍ବ୍ରମ ଏବଂ ଅନ୍ୟମାନେ। ଏହି ସବୁ ସମସ୍ୟା ନେଇ ଆଜି ବିଦ୍ୟାଳୟର ଛାତ୍ରୀଛାତ୍ର ବିଦ୍ୟାଳୟରେ ତାଲା ପକାଇବା ସହିତ ରାସ୍ତାରେ ଧାରଣାରେ ବସିଥିଲେ।ତେବେ ଏବାବଦରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମହାନ୍ତଙ୍କୁ ପଚାରିବାରୁ ପୂର୍ବରୁ ଉକ୍ତ ଘଟଣା ବାବଦରେ ସେ ଅବଗତ ନ ଥିଲେ ଏବଂ ସେ ଏହା ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।