Advertisement

ସାଇକେଲରେ ବୁଲିଲେ ଉପଜିଲାପାଳ

ଟିଟିଲାଗଡ଼, ୨୪।୧: ସଡ଼କ ସରୁକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଉପଜିଲାପାଳ ସୌମେଶ ଉପାଧ୍ୟାୟ ସାଇକେଲରେ ବୁଲି ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି। ତାଙ୍କ ସହ ସ୍ଥାନୀୟ ଅଞ୍ଚଳ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ କର୍ମକର୍ତ୍ତା, ପୋଲିସ, ପରିବହନ ବିଭାଗ ଅଧିକାରୀ ସାମିଲ ହୋଇଥିଲେ। ହାଇସ୍କୁଲ ଖେଳ ପଡିଆଠାରେ ଅନୁଷ୍ଠିତ ସଚେତନତା ସଭାରେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କଲେ ଗାଡି ଚାଳକ ଏବଂ ଯାତ୍ରୀ ସୁରକ୍ଷିତ ରହି ପାରିବେ ବୋଲି ଉପଜିଲାପାଳ ଉପାଧ୍ୟାୟ କହିଛନ୍ତି। ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ବଲାଙ୍ଗୀର ଅତିରିକ୍ତ ଆର୍‌ଟିଓ ଲୋକନାଥ ମେହେର, ଟ୍ରାଫିକ ସବ୍‌ଇନ୍ସପେକ୍ଟର ମୁକେଶ ମିଶ୍ର, ଜେସିଆଇ ଅଧ୍ୟକ୍ଷ ମନିଷ ଗୁପ୍ତା ପ୍ରମୁଖ ସଡ଼କ ସୁରକ୍ଷା ସମ୍ପର୍କରେ ବିଭିନ୍ନ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ସାଇକେଲ ଶୋଭାଯାତ୍ରାରେ ଭାଗ ନେଇଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ପାଇଁ ଲଟେରି କୁପନ ବଣ୍ଟାଯାଇଥିଲା। ଡିଏଭି କଲେଜ ଛାତ୍ରୀ ପ୍ରୀତି ମହାନନ୍ଦ ଲଟେରି ଜିଣି ଏକ ସାଇକେଲ ପାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel