ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍‌ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏଠାରେ ସେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ଗଣିତ ପଢ଼ାଇଥିଲେ।
ଦୀର୍ଘ ୨ ବର୍ଷ ପରେ ସ୍କୁଲ ଖୋଲଥିବାରୁ ପିଲାମାନେ କିପରି ଚାପମୁକ୍ତ ହୋଇ ଉନ୍ନତମାନର ଶିକ୍ଷା ଗ୍ରହଣ କରିବେ ସେ ବିଷୟରେ ଉପଜିଲାପାଳ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଛାତ୍ରାବାସକୁ ଯାଇ ପିଲାଙ୍କ ଖାଦ୍ୟପେୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଏଠାରୁ ଏମ୍‌ଭି -୭୯ ଥାନା ପରିଦର୍ଶନରେ ଯାଇ ବିଚାରାଧୀନ ବନ୍ଦୀମାନଙ୍କ ହାଜତ ଗୃହରେ ରହିବା ଓ ସେମାନଙ୍କ ଖାଦ୍ୟ ପେୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଥାନାରେ ସିସିଟିଭି ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ।