ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିବା ବେଳେ ୩ ବର୍ଷ ପରେ ମଧ୍ୟ ନିର୍ମାଣ ଜାରି ରହିଛି।
ପ୍ରକାଶ ଯେ, ୬ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ମାତୃ ଓ ଶିଶୁଭବନ ନିର୍ମାଣ ପାଇଁ ୨୦୧୯ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଭୁବନେଶ୍ୱର ଏକ ଠିକା ସଂସ୍ଥାକୁ ଏଥିପାଇଁ ଚୟନ କରାଯାଇଥିଲା। ଉକ୍ତ ଠିକା ସଂସ୍ଥା ୨୮ ମାର୍ଚ୍ଚ ୨୦୧୯ରେ କାମ ଆରମ୍ଭ କରି ୧ ଜୁନ ୨୦୨୦ ମଧ୍ୟରେ ଶେଷ କରିବ ବୋଲି ପୂର୍ତ୍ତ ବିଭାଗ ସହ ଚୁକ୍ତି କରିଥିଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରୁନାହିଁ I ଅପରପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟର ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଛି। ଏ ସମ୍ପର୍କରେ ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି, କାମ ଶେଷ ପର୍ଯ୍ୟାୟରେ ରହିଛି। ମେ’ ମାସ ଶେଷ ସୁଦ୍ଧା ଏହା ହସ୍ତାନ୍ତର କରାଯିବ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି, କାର୍ଯ୍ୟରେ ବିଳମ୍ବ ପାଇଁ ଠିକା ସଂସ୍ଥାକୁ ବାରମ୍ବାର ତାଗିଦ୍ କରାଯାଇଛି। ସରକାରୀ ନିୟମ ମୁତାବକ ବିଳମ୍ବ ପାଇଁ ପ୍ରାପ୍ୟରୁ ପେନାଲଟି କଟାଯିବା ପାଇଁ ଲେଖାଯାଇଛି। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହୋଇଯିବ।