ପଶ୍ଚିମବଙ୍ଗରେ ଓଡ଼ିିଆ ଝିଅଙ୍କ ସଫଳତା: ଜେଇଇ (ମେନ୍‌)ରେ ଟପ୍ପର

କଟକ ଅଫିସ,୧୨।୩: ପଶ୍ଚିମବଙ୍ଗରେ ଜେଇଇ (ମେନ୍‌) ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି ଓଡ଼ିଆ ଝିଅ ଆଦ୍ୟାଶା ପାତ୍ର ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ଯୋଗୁ ପରିବାରବର୍ଗ ଏବଂ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଆଦ୍ୟାଶାଙ୍କ ଘର। ତାଙ୍କ ପିତା ଚିନ୍ମୟ ପାତ୍ର ଦୁର୍ଗାପୁର ଇସ୍ପାତ କାରଖାନାରେ ଜେନେରାଲ ମ୍ୟାନେଜର ଏବଂ ମାତା ଡ. ବବିତା ସାହୁ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟରତ। ଦୁର୍ଗାପୁରସ୍ଥିତ ମନୀଷା ଇଣ୍ଟରନ୍ୟାଶନାଲ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ଆଦ୍ୟାଶା ପଢୁଛନ୍ତି। ସେ ମୁମ୍ବାଇ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ପଢିବାକୁ ଆଶା ରଖିଛନ୍ତି। ଏଥିପୂର୍ବରୁ ସେ ନ୍ୟାଶନାଲ ଟାଲେଣ୍ଟ ସର୍ଚ୍ଚ ଏକ୍‌ଜାମ୍‌ (ଏନ୍‌ଟିଏସଇ) ଏବଂ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିୱାଇ) ପରୀକ୍ଷାରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଆଦ୍ୟାଶା ନିଜର ଅଧ୍ୟବସାୟ, ଶିକ୍ଷକମାନଙ୍କ ଦିଗଦର୍ଶନ ଏବଂ ଗୁରୁଜନଙ୍କ ଆଶୀର୍ବାଦକୁ ସଫଳତାର ଶ୍ରେୟ ଦେଇଛନ୍ତି। ସେ ଅବସର ସମୟରେ ଗିଟାର ବଜାଇବା ଓ ବ୍ୟାଡମିଣ୍ଟନ ଖେଳିବାକୁ ପସନ୍ଦ କରନ୍ତି ବୋଲି ଆଦ୍ୟାଶା ପ୍ରକାଶ କରିଛନ୍ତି।

Share