ଲଣ୍ଡନ, ୨୭।୧୧:ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ଫଳପ୍ରଦ ହୋଇଛି ଓ ଏହା ସବୁଠୁ ଶସ୍ତାରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯିବା ପରେ ସାଧାରଣରେ ଟିକାକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଥିଲା। ଅକ୍ସଫୋର୍ଡ ଟିକାର ଦାମ୍ କପେ କଫିଠାରୁ ଶସ୍ତା ହେବ ବୋଲି କୁହାଯାଇଥିଲା। ତେବେ ପରୀକ୍ଷାରେ ଭାଗ ନେଇଥିବା କେତେଜଣଙ୍କଠାରେ ଟିକାର ଭୁଲ୍ ଡୋଜ୍ ଦିଆଯାଇଥିବା ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପରେ ଅଷ୍ଟ୍ରାଜେନିକା ସ୍ବୀକାର କରିଛି। ଫଳରେ ଏହି ଟିକାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଅତିରିକ୍ତ ପରୀକ୍ଷା ହେଲେ ପୂର୍ବ ଫଳାଫଳ ଆସିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ତ୍ରୁଟି ଓ ଅନେକ ଅନିୟମିତତା ମଧ୍ୟରେ ଅଷ୍ଟ୍ରାଜେନିକା ଯେପରି ପ୍ରାରମ୍ଭିକ ତଥ୍ୟ ପ୍ରକାଶ କଲା, ଏହାର ଫଳାଫଳର ବିଶ୍ୱସନୀୟତା ଉପରେ ଆସ୍ଥା ହ୍ରାସ ପାଇଛି ବୋଲି ବୈଜ୍ଞାନିକ ଓ ଶିଳ୍ପ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅକ୍ସଫୋର୍ଡ ଟିକାର ଫଳାଫଳ ସ୍ପଷ୍ଟ ନୁହେଁ ବୋଲି ଆମେରିକାର ଅଧିକାରୀମାନେ କହିଛନ୍ତି। ଏହି ଟିକାକୁ ତୁରନ୍ତ ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ଦେବାକୁ ଆମେରିକା କର୍ତ୍ତୃପକ୍ଷ ମନା କରିଛନ୍ତି। ଭୁଲ୍ ଘୋଷଣା ଯୋଗୁ ମହାମାରୀ ବିରୋଧରେ ଲଢ଼େଇକୁ ବଡ଼ ଝଟ୍କା ଲାଗିଛି। ସେମାନେ ସମସ୍ତ ବିକାଶ କାର୍ଯ୍ୟକ୍ରମର ଆସ୍ଥାକୁ ନଷ୍ଟ କରିଦେଲେ ବୋଲି ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ ଏସ୍ଭିବି ଲିରିଙ୍କ୍ର ବିଶ୍ଳେଷକ ଜିଓଫ୍ରେ ପୋର୍ଗେସ୍ କହିଛନ୍ତି। ଅନ୍ୟପକ୍ଷରେ ଉଚ୍ଚତମ ମାନ ସହ ପରୀକ୍ଷା ପରିଚାଳନା କରାଯାଇଥିଲା ବୋଲି ଅଷ୍ଟ୍ରାଜେନିକା ମୁଖପାତ୍ର ମିଚେଲେ ମୈକ୍ସେଲ୍ କହିଛନ୍ତି।