କୋରାପୁଟ/ସୁନାବେଡ଼ା,୧୩।୫: କରୋନା ସଂକ୍ରମଣ ହାର କୋରାପୁଟ ଜିଲାରେ ବଢ଼ିଚାଲିଛି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ସତ୍ତ୍ୱେ ସଂକ୍ରମଣ କମିବା ନାଁ ନେଉନି। ସୁନାବେଡ଼ା ହାଲ୍ ଟାଉନଶିିପ ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣର ହାର ବଢ଼ିଚାଲିଛି। ଗତ କିଛି ଦିନ ହେବ ହାଲ୍ ସହରାଞ୍ଚଳରେ ପ୍ରତ୍ୟହ ୮ରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ହାଲ୍ ପ୍ରଶାସନ ଏହାର ମୁକାବିଲା ଜାରି ରଖିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁବାର ବେଙ୍ଗାଲୁରୁସ୍ଥିତ ହାଲ୍ କର୍ପୋରେଟ ଅଫିସ ପକ୍ଷରୁ ହାଲ୍ ମିଗ୍ କାରଖାନାକୁ ଚଳିତ ମାସ ୧୫ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ବିଜ୍ଞପ୍ତି ଜାରି ହୋଇଛି। କାରଖାନା ବନ୍ଦ ସମୟରେ ସହରାଞ୍ଚଳ ତଥା କାରଖାନା ମଧ୍ୟରେ ଅତ୍ୟାବଶ୍ୟକ ସେବା ଯଥା ମେଡିକାଲ, ପାରା ମେଡିକାଲ ଷ୍ଟାଫ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ହାଲ୍ ସିକ୍ୟୁରିଟି, ଅଗ୍ନିଶମ ବିଭାଗ ଏବଂ ସାନିଟାଇଜେଶନ ବ୍ୟବସ୍ଥା ଚାଲୁ ରହିବ ବୋଲି ବିଜ୍ଞପ୍ତିରେ ଉଲେଖ ରହିଛି। ଉପରୋକ୍ତ ବିଭାଗର କାର୍ଯ୍ୟରତ କର୍ମଚାରୀ ଓ ଠିକା କର୍ମଜାରୀ ନିୟମିତ କାର୍ଯ୍ୟ କରିବେ। ମେ ୧୫ରୁ ୨୩ ମଧ୍ୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ବିଭାଗୀୟ ମୁଖ୍ୟଙ୍କ ବିନା ଅନୁମୋଦନରେ ବାହାରକୁ ଯାଇପାରିବେ ନାହିଁ। ସୂଚନାଯୋଗ୍ୟ, ସୁନାବେଡ଼ା ସହରାଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରୁ କିଛିଦିନ ତଳେ ହାଲ୍ ପ୍ରଶାସନ କାରଖାନା ମଧ୍ୟରେ କାମ କରୁଥିବା ସମସ୍ତ ଅଫିସର ଓ କର୍ମଚାରୀଙ୍କ ସମୟ ପରିବର୍ତ୍ତନ କରିଥିଲା। ଏବେ ଦୈନିକ ସଂକ୍ରମଣ ବୃଦ୍ଧିକୁ ଗୁରୁତର ସହ ନେଇ ହାଲ୍ କାରଖାନାକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।