ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍‌

କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍‌.ସିଏଚ୍‌(ମାଷ୍ଟର ଅଫ୍‌ ଚିରାଜି) ଏବଂ ଡିଏମ୍‌(ଡକ୍ଟର ଅଫ୍‌ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି। ଫଳରେ ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜର ସୁପର୍‌ ସ୍ପେଶିଆଲିଟି ବିଭାଗରେ ଏସବୁ ପିଜି ସିଟ୍‌ ଖାଲିପଡିଛି। ଯାହା ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ବିଭାଗ ପାଇଁ ଡାକ୍ତର ଅଭାବ ଉତ୍କଟ ସମସ୍ୟା ଭାବେ ଉଭା ହୋଇପାରେ।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ ହୃଦ୍‌ ଶଲ୍ୟ ବକ୍ଷ ବିଭାଗରେ ପ୍ରଥମ ୩ଟି ବ୍ୟାଚ୍‌ ପରେ ଗତ ୩ ବର୍ଷ ହେଲା ଜଣେ ବି ହେଲେ ଛାତ୍ରୀଛାତ୍ର ଏମ୍‌.ସିଏଚ୍‌ରେ ଆଡମିଶନ କରୁନାହାନ୍ତି। ସେହିପରି ଶିଶୁ ଭବନର ଶିଶୁ ଶଲ୍ୟ ବିଭାଗରେ ଏମ୍‌.ସିଏଚ୍‌ ପାଇଁ ଦୁଇଟି ସିଟ୍‌ରୁ ଦୁଇବର୍ଷ ହେଲା ଗୋଟିଏ ସିଟ୍‌ ଖାଲି ପଡିଥିଲା। ଚଳିତବର୍ଷ ଏଠାରେ ପିଜି ସିଟ୍‌ ସଂଖ୍ୟା ୬କୁ ବୃଦ୍ଧି ପାଇବା ପରେ ଏବେ ଦୁଇଟି ସିଟ୍‌ ଖାଲି ପଡିଛି। ସେହିପରି ଏସ୍‌ସିବି ମେଡିକାଲର ହୃଦ୍‌ ଶଲ୍ୟ ବକ୍ଷ ବିଭାଗରେ ଶତ ପ୍ରତିଶତ ସିଟ୍‌ ଖାଲି ପଡୁଥିବାବେଳେ ଶିଶୁ ଭବନରେ ଏହା ୩୪ ପ୍ରତିଶତ ଅଟେ।
ଏନ୍‌ଇଇଟି ଦ୍ୱାରା ପରିଚାଳିତ ନାମଲେଖା ନିମନ୍ତେ ଗତବର୍ଷ କଟ୍‌ ଅଫ୍‌ ମାର୍କ ୫୦ ପର୍ସେଣ୍ଟାଇଲ୍‌ ଧାର୍ଯ୍ୟ କରାଯାଇଥିଲା। ଫଳରେ ଗତବର୍ଷ ବିଭିନ୍ନ ବିଭାଗରେ ଅନେକ ସିଟ୍‌ ଖାଲି ପଡିଥିଲା। ତେଣୁ ଏହାକୁ ଏମ୍‌ସିଆଇ(ମେଡିକାଲ୍‌ କାଉନ୍‌ସିଲ ଅଫ ଇଣ୍ଡିଆ) ଗୁରୁତର ଭାବେ ବିଚାରକୁ ନେବା ସହ ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ କଟ୍‌ ଅଫ୍‌ ପର୍ସେଣ୍ଟାଇଲକୁ କିଛି ମାତ୍ରାରେ କମାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଡିଏମ୍‌ଇଟି ଡା. ସିବିକେ ମହାନ୍ତି କହିଛନ୍ତି, ଏବେ ଏହା ଏକ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନର ଛାତ୍ରୀଛାତ୍ର ପାଠପଢା ପରେ ତୁରନ୍ତ ରୋଜଗାର କରିବାର ଲକ୍ଷ୍ୟ ରଖୁଛନ୍ତି। ଯାହା ସି.ଟି.ଭି.ଏସ୍‌(କାର୍ଡିଓଥୋରାସିକ ଆଣ୍ଡ ଭାସ୍‌କୁଲାର ସର୍ଜରି) ବା ହୃଦ୍‌ ଶଲ୍ୟ ବକ୍ଷ ପରିକା ବିଭାଗ କ୍ଷେତ୍ରରେ ସମ୍ଭବ ନୁହେଁ। କାରଣ ଏପରି ବିଭାଗ ପାଇଁ ଅନେକ ଅନୁଭୂତିର ଆବଶ୍ୟକ ରହିଛି। କିଛିବର୍ଷ କାମ କରିବା ପରେ ସଫଳତା ଆଧାରରେ ଲୋକ ଗ୍ରହଣ କରିଥାନ୍ତି। ତେଣୁ ଏହା ସମୟ ସାପେକ୍ଷ। ଯେଉଁ ବିଭାଗରେ କାମ କରିବାର ସୁଯୋଗ ଅଧିକ ଥାଏ ସେପରି ବିଭାଗଗୁଡିକର ସିଟ୍‌ ତୁରନ୍ତ ପୁରଣ ହୋଇଯାଉଛି। ବାକି କିଛି ବିଭାଗ ଖାଲି ପଡୁଛି। ତେଣୁ ନିଶ୍ଚିତ ଭାବେ ଏହା ଚିନ୍ତାର କାରଣ। କିନ୍ତୁ ଜାତୀୟ ହାରରେ ଓଡ଼ିଶାରେ ଏହି ସମସ୍ୟା ସେତେଟା ନାହିଁ।

Share