Categories: ଜାତୀୟ

ଅଧ୍ୟାଦେଶରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୭: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ମେ’ ୧୯ରେ ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଏଏପି ସରକାର ଦାଏର କରିଥିବା ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ତେବେ ଅଧ୍ୟାଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲଗାଇବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଆବେଦନରେ ସଂଶୋଧନ କରି ଉପରାଜ୍ୟପାଳଙ୍କୁ ମାମଲାରେ ପକ୍ଷଭୁକ୍ତ କରାଇବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ପି.ଏସ୍‌. ନରସିଂହଙ୍କ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭କୁ ଧାର୍ଯ୍ୟ କରାଯାଇଛି।
କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ କାର୍ଯ୍ୟ ଏବଂ ସୁପ୍ରିମକୋର୍ଟ ଓ ସମ୍ବିଧାନର ମୌଳିକ ଢାଞ୍ଚାକୁ ରଦ୍ଦ କରିଦେବା ଲାଗି ଉଦ୍ୟମ ବୋଲି ଏଏପି ସରକାର ତାଙ୍କ ପିଟିଶନରେ ଦର୍ଶାଇଥିଲେ। ଉକ୍ତ ଅଧ୍ୟାଦେଶକୁ ଖାରଜ କରାଯିବା ସହ ଏହା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲାଗି ମଧ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ସରକାର ନିବେଦନ କରିଥିଲେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ଅଧିକାର ଦିଲ୍ଲୀ ସରକାରଙ୍କୁ ଦେବାର ସପ୍ତାହେ ପରେ ଏହାକୁ ଅକାମୀ କରିବା ଲାଗି କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ।

Share