Categories: ଜାତୀୟ

ଆସାମ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ଜବାବ ଲୋଡ଼ିଛନ୍ତି। ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ ଆବେଦନକାରୀ ଏହାର ୨ ସପ୍ତାହ ମଧ୍ୟରେ ସେମାନଙ୍କର ପ୍ରତ୍ୟୁତ୍ତର ଦାଖଲ କରିପାରିବେ। ଏଥିସହିତ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ଲାଗି ନିର୍ବାଚନ କମିଶନଙ୍କୁ କ୍ଷମତା ଦେଇଥିବା ଜନପ୍ରତିନିଧି ଆଇନ,୧୯୫୦ର ଧାରା ୮ଏ’ର ସାମ୍ବିଧାନିକ ବୈଧତା ଯାଞ୍ଚ କରିବାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ରାଜି ହୋଇଛନ୍ତି। ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆସାମର କଂଗ୍ରେସ, ରାଇଜୋର ଦଳ, ଆସାମ ଜାତୀୟ ପରିଷଦ, ସିପିଆଇ(ଏମ୍‌), ସିପିଆଇ, ଟିଏମ୍‌ସି, ଏନ୍‌ସିପି, ଆର୍‌ଜେଡି ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚାର ୧୦ ଜଣ ନେତା ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ସେମାନେ ମୁଖ୍ୟତଃ ନିର୍ବାଚନ କମିଶନଙ୍କ ଆପଣାଇଥିବା ପ୍ରଣାଳୀ ଏବଂ ଜୁନ୍‌ ୨୦ରେ ବିଜ୍ଞପିତ ହୋଇଥିବା ପ୍ରସ୍ତାବଗୁଡ଼ିକୁ ଚ୍ୟାଲେଞ୍ଜ କରିଥିଲେ।

Share