Categories: ଜାତୀୟ

ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅଦାଲତରେ ହାଜର ହୋଇ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ଶେଷ ସୁଯୋଗ ଦେଇଛନ୍ତି। ଫେବୃୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ ଦଣ୍ଡ ଶୁଣାଇବା ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ ଅବମାନନା ମାମଲାରେ ମାଲ୍ୟା ଦୋଷୀସାବ୍ୟସ୍ତ ହୋଇଥିବା ଜଷ୍ଟିସ୍‌ ୟୁ.ୟୁ. ଲଲିତ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ କହିଛନ୍ତି। ସାଧାରଣତଃ ନିୟମ ଅନୁଯାୟୀ ଦଣ୍ଡବିଧାନ ପୂର୍ବରୁ ଅଭିଯୁକ୍ତଙ୍କ ବୟାନ ଶୁଣାଯିବା ଆବଶ୍ୟକ। ହେଲେ ମାଲ୍ୟା ଏପର୍ଯ୍ୟନ୍ତ କୋର୍ଟରେ ହାଜର ହେଲେନାହିଁ। ହାଜର ହେବା ଲାଗି ମାଲ୍ୟାଙ୍କୁ ଶେଷ ସୁଯୋଗ ଦିଆଯାଇପାରେ। ଏଥିପାଇଁ ଦଣ୍ଡ ଶୁଣାଣିକୁ କିଛିଦିନ ସ୍ଥଗିତ ରଖିବା ପାଇଁ ଆମିକସ୍‌ କ୍ୟୁରି ଜୟଦୀପ ଗୁପ୍ତା ଅଦାଲତଙ୍କୁ କହିଥିଲେ। ଫେବୃୟାରୀ ୨୪ରେ ଯଦି ମାଲ୍ୟା ହାଜର ନ ହୁଅନ୍ତି ତେବେ ତାଙ୍କ ଅନୁପସ୍ଥିତିରେ ଦଣ୍ଡ ଘୋଷଣା କରାଯିବ ବୋଲି ଜଷ୍ଟିସ୍‌ ଭଟ୍ଟ କହିଥିଲେ। ସୂଚନାଯୋଗ୍ୟ, ଭାରତର କେତେକ ବ୍ୟାଙ୍କରୁ ୯,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ନେଇଥିବା ମାଲ୍ୟା ଦେଶ ଛାଡ଼ି ଏବେ ବ୍ରିଟେନରେ ରହୁଛନ୍ତି।

Share