Categories: ଜାତୀୟ

ଦେଶଦ୍ରୋହ ଆଇନ ସମୀକ୍ଷାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୧।୫: ଦେଶଦ୍ରୋହ ଆଇନର ସମୀକ୍ଷା ଲାଗି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଏହି ଉପନିବେଶୀୟ ଆଇନରେ ଦାଏର ହେଉଥିବା ନୂଆ ମାମଲାଗୁଡ଼ିକର ବିଚାର ସ୍ଥଗିତ ରଖାଯିବ କି ନାହିଁ, ତାହା ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଛୋଟମୋଟ ଘଟଣାରେ ଧାରା ୧୨୪ଏ ଲଗାଯାଉଥିବାରୁ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଥିଲେ। ତେବେ ଉପଯୁକ୍ତ ଫୋରମ୍‌ ଦ୍ୱାରା ଏହି ଆଇନର ପୁନର୍ବିଚାର ଓ ସମୀକ୍ଷା କରିବା ଲାଗି କେନ୍ଦ୍ର କହିଥିବାରୁ ସେଥିପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଯେଉଁମାନେ ଏହି ଆଇନରେ ଗିରଫ ହୋଇଛନ୍ତି, ସମୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଗାଇଡ୍‌ଲାଇନ ଆଣିବେ କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ବିଚାରାଧୀନ ମାମଲା ତଥା ଭବିଷ୍ୟତ ମାମଲାଗୁଡ଼ିକର କିପରି ପରିଚାଳନା କରାଯିବ ସେ ନେଇ ବୁଧବାର ସୁଦ୍ଧା ସରକାର ଜବାବ ରଖିବା ଲାଗି କୁହାଯାଇଛି।

Share