Categories: ଜାତୀୟ

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪।୫: ପ୍ରାଣ ହରାଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ଗୋଟିଏ ନୀତି ଅବଲମ୍ବନ କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଅନେକ କ୍ଷେତ୍ରରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା ଫୁସ୍‌ଫୁସ୍‌ ଫେଲ୍‌ ମାରିବା ସାର୍ଟିଫିକେଟରେ ଦର୍ଶାଯାଉଛି। କିନ୍ତୁ କୋଭିଡ୍‌-୧୯ ଭାଇରସ ଯୋଗୁ ଶରୀରର ବିଭିନ୍ନ ଅଙ୍ଗ ଫେଲ୍‌ ମାରୁଛି। ତେବେ ସେମାନଙ୍କ ମୃତ୍ୟୁ ପଛର କାରଣ ମଧ୍ୟ ଭାଇରସ ହୋଇଥାଇପାରେ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ମୃତ୍ୟୁ ପ୍ରମାଣପତ୍ର କିପରି ଇସ୍ୟୁ ହେଉଛି ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କରୋନାରେ ପ୍ରାଣ ହରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ଲାଗି କୌଣସି ସାର୍ବଜନିକ ନୀତି ରହିଥିଲେ ୧୦ ଦିନ ମଧ୍ୟରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି।

Share