Categories: ଜାତୀୟ

ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୦: ଆମ୍‌ ଆଦ୍‌ମୀ ପାର୍ଟି ଏମ୍‌ପି ରାଘବ ଚଢ଼ାଙ୍କୁ ରାଜ୍ୟ ସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରାଯାଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ଏନେଇ ସୋମବାର ରାଜ୍ୟ ସଭା ସଚିବାଳୟକୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲ ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ସଚିବାଳୟକୁ ନୋଟିସ ଜାରି କରିବା ସହ ମାମଲାରେ ସହାୟତା କରିବାକୁ ଆଟର୍ନି ଜେନେରାଲ ଏନ୍‌. ଭେଙ୍କଟରମଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଟିଶନ୍‌ର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ଚଢ଼ାଙ୍କୁ ଯେଭଳି ଭାବେ ନିଲମ୍ବନ କରାଗଲା, ତାହା ଉପରେ ତାଙ୍କ ଓକିଲ ରାକେଶ ଦ୍ୱିବେଦୀ ପ୍ରଶ୍ନ ଉଠାଇଥିଲେ। ନିଲମ୍ବନ ଅବଧି ଗୋଟିଏ ନିର୍ଦ୍ଦିଷ୍ଟ ଅଧିବେଶନରୁ ଅଧିକ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଏଏପି ନେତାଙ୍କ ନିଲମ୍ବନ ରାଜ୍ୟ ସଭା ରୁଲ୍ସ ଅଫ୍‌ ପ୍ରୋସିଜିଓର ଆଣ୍ଡ କଣ୍ଟକ୍ଟ ଅଫ୍‌ ବିଜ୍‌ନେସ୍‌ର ନିୟମ ୨୫୬ର ଉଲ୍ଲଂଘନ ବୋଲି ସେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ଚଢ଼ା ରାଜ୍ୟ ସଭାରେ ଆଣିଥିବା ଏକ ପ୍ରସ୍ତାବରେ ୫ ଜଣ ସଦସ୍ୟଙ୍କ ଦସ୍ତଖତ ଜାଲ୍‌ ଥିବା ଜଣାପଡ଼ିଥିଲା। ଏହାକୁ ନିୟମର ଉଲ୍ଲଂଘନ, ଅସଦାଚରଣ ବୋଲି ଦର୍ଶାଯାଇ ଗତ ଅଗଷ୍ଟ ୧୧ରେ ଚଢ଼ାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଥିଲା।

Share