ଅବଶିଷ୍ଟ ବୋର୍ଡ ପରୀକ୍ଷା ବାତିଲ ପାଇଁ କେନ୍ଦ୍ର, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୨୭ା୬(ପି.ଟି.): କରୋନା ମହାମାରୀ ଯୋଗୁ ବାକି ରହିଥିବା ବୋର୍ଡ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) କର୍ତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀର ବକେୟା ପରୀକ୍ଷା ଜୁଲାଇରେ ହେବା ପାଇଁ ସ୍ଥିର ହୋଇଥିଲା। ବାତିଲ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ସିବିଏସ୍‌ଇ ସ୍କିମ୍‌ ଅନୁଯାୟୀ ନମ୍ବର ଦେବାକୁ ସର୍ବୋଚ୍ଚ ଅଦାଲତ ସବୁଜ ସଙ୍କେତ ଦେଇଛନ୍ତି। ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବିଲ୍‌କର, ଦୀନେଶ ମାହେଶ୍ୱରୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷା ବାତିଲ ଲାଗି ବିଜ୍ଞପ୍ତି ଜାରି କରିବାକୁ ସିବିଏସ୍‌ଇକୁ ଅନୁମତି ପ୍ରଦାନ କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ଓ ସିବିଏସ୍‌ଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଉପସ୍ଥିତ ରହି କହିଥିଲେ, ମୂଲ୍ୟାୟନ ସ୍କିମ୍‌ରେ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷାର ପୂର୍ବ ତିନୋଟି ପେପରରେ ରଖିଥିବା ନମ୍ବରକୁ ବିଚାରକୁ ନେଇ ବକେୟା ପେପରରେ ନମ୍ବର ପ୍ରଦାନ କରାଯିବ। ଆଇସିଏସ୍‌ଇ ମଧ୍ୟ ସିବିଏସ୍‌ଇ ଅନୁରୂପ ସ୍କିମ୍‌ କରିଛି। ତେବେ ଏହାର ହାରାହାରି ସୂତ୍ର ଭିନ୍ନ ଏବଂ ଦଶମ ଶ୍ରେଣୀ ପାଇଁ ପୁନଃ ପରୀକ୍ଷା ଆୟୋଜନ ଲାଗି ବିଚାର କରିପାରେ ବୋଲି ଏହାର ଓକିଲ ଅଦାଲତଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ସପ୍ତାହେ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଇସିଏସ୍‌ଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଅବଶିଷ୍ଟ ବୋର୍ଡ ପରୀକ୍ଷା ବାତିଲ ସମ୍ପର୍କରେ ସିବିଏସଇ ଗୁରୁବାର ଘୋଷଣା କରିଥିଲା।

Share