ନୂଆଦିଲ୍ଲୀ,୧୧ା୭(ପି.ଟି.): କରୋନା ଜନିତ ଲକ୍ଡାଉନ ସମୟର ସ୍କୁଲ୍ ଫି ଆଦାୟ ବନ୍ଦ ରଖିବା ପାଇଁ ବିଭିନ୍ନ ରାଜ୍ୟର ଅଭିଭାବକମାନେ କରିଥିବା ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସହାୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟର ସମସ୍ୟା ଭିନ୍ନ ଭିନ୍ନ। ଆବେଦନକାରୀ ଯଦି ପ୍ରତ୍ୟେକଙ୍କର ସମସ୍ୟାର ସମାଧାନ କରିପାରନ୍ତି ତେବେ ତାହା ବହୁତ ଉନ୍ନତ ବିଚାର ହେବ ବୋଲି ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ। ଦେୟ ବୃଦ୍ଧି ମାମଲା ରାଜ୍ୟ ହାଇକୋର୍ଟରେ ଉଠାଯିବା ଆବଶ୍ୟକ ବୋଲି ଅଦାଲତ କହିଥିଲେ। ବର୍ଦ୍ଧିତ ଫି ଆଦାୟ ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସ୍କୁଲଗୁଡ଼ିକୁ ଅନୁମତି ଦେଇଥିବା ଆଇନଜୀବୀ ବାଲାଜୀ ଶ୍ରୀନିବାସନ ଏବଂ ମୟଙ୍କ କ୍ଷୀରସାଗର କହିବା ପରେ ଉକ୍ତ ରାୟ ବିରୋଧରେ ଅପିଲ୍ କରାଯାଇପାରିବ ବୋଲି ଖଣ୍ଡପୀଠ କହିଥିଲେ।