Categories: ଜାତୀୟ

ସତ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ, ୬।୮(ପି.ଟି.):ପେଗାସସ୍‌ ଗୁପ୍ତଚରଗିରି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ଅଭିଯୋଗ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍‌କୁ ସରକାର ରାଜନେତା, ସାମାଜିକ କର୍ମୀ ଏବଂ ଖବରଦାତାମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଅଦାଲତଙ୍କ ତତ୍ତ୍ୱାଧାନରେ ହେଉ ବୋଲି ଦାବି କରୁଥିବା ଆବେଦନକାରୀ ଏନେଇ ଫୌଜଦାରି ମାମଲା ରୁଜୁ କରିବା ପାଇଁ ଉଦ୍ୟମ କରିଥିଲେ କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମାନ୍ନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ପିଟିଶନର ଶୁଣାଣି କରିବା ଅବସରରେ ସୂଚନା ପ୍ରଯୁକ୍ତି ଏବଂ ଟେଲିଗ୍ରାଫ୍‌ ଆଇନରେ କ’ଣ ପାଇଁ କେହି ଅଭିଯୋଗ ଦାଏର କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
ଆବେଦନକାରୀମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କହିଥିଲେ, ଅଭିଯୋଗ ସମ୍ପର୍କିତ ପ୍ରତ୍ୟକ୍ଷ ତଥ୍ୟ ମିଳିନାହିଁ। ଜଣେ ଆବେଦନକାରୀ ପ୍ରଧାନମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିଥିବାରୁ ଖଣ୍ଡପୀଠ ଏହା ଉପରେ ଆପତ୍ତି ଉଠାଇଥିଲେ। ଆବେଦନର ନକଲ ସରକାରଙ୍କ ପାଖରେ ଦାଖଲ କରିବାକୁ ଖଣ୍ଡପୀଠ କହିଥିଲେ, ଯେପରି ୧୦ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ କେହି ପ୍ରତିନିଧିତ୍ୱ କରିପାରିବେ। ଆବେଦନକାରୀ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ଶିକ୍ଷିତ ଓ ବିଜ୍ଞ ବ୍ୟକ୍ତି ହୋଇଥିବାବେଳେ ସେମାନେ ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବା ଆବଶ୍ୟକ ଥିଲା ବୋଲି କୋର୍ଟ କହିଥିଲେ। ୨୦୧୯ ମେ’ରେ ଏହି ରିପୋର୍ଟ ସାମ୍‌ନାକୁ ଆସିଥିଲା। ଆବେଦନକାରୀ ଚାହିଁଥିଲେ ଅଧିକ ତଥ୍ୟ ସଂଗ୍ରହ କରିପାରିଥାନ୍ତେ। କେତେଜଣ ଆବେଦନକାରୀ ସେମାନଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ କରିଛନ୍ତି। ଟେଲିଗ୍ରାଫ୍‌ ଆଇନ କିମ୍ବା ସୂଚନା ପ୍ରଯୁକ୍ତି ଆଇନରେ ଏନେଇ ଫୌଜଦାରି ମାମଲା ଦାଏର କରିବା ବ୍ୟବସ୍ଥା ରହିଥିଲେ ମଧ୍ୟ କେହି ଆବେଦନ ନ କରିବା କାରଣ କ’ଣ ବୋଲି ଅଦାଲତ ପ୍ରଶ୍ନ କରିଥିଲେ।

Share