Categories: ଜାତୀୟ

ଋତୁସ୍ରାବ ସମୟରେ ଛୁଟି ସମ୍ବନ୍ଧୀୟ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ମାସିକ ଋତୁସ୍ରାବ ସମୟରେ ସ୍କୁଲ ଏବଂ କାର୍ଯ୍ୟସ୍ଥଳରୁ ଛୁଟି ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୧୯୬୧ ମାତୃତ୍ୱ ସୁବିଧା ଆଇନକୁ ଦର୍ଶାଇ ଛାତ୍ରୀ ଏବଂ କାର୍ଯ୍ୟରତ ମହିଳାମାନଙ୍କୁ ନିଜ କର୍ମକ୍ଷେତ୍ରରେ ଛୁଟି ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା। ପିଆଇଏଲ୍‌ରେ ସମସ୍ତ ରାଜ୍ୟ ସରକାରଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରିବାକୁ ଅପିଲ କରାଯାଇଥିଲା। ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଏହା ସରକାରୀ ନୀତି ସହ ଜଡିତ ଏକ ମାମଲା। ଏଣୁ ଏଭଳି ମାମଲାରେ ନିର୍ଦ୍ଦେଶନାମା ଦେଲେ ମହିଳାଙ୍କ ନିଯୁକ୍ତିରେ ଅସୁବିଧା ସୃଷ୍ଟି ହେବ। ହେଲେ ଯଦି ଆବେଦନକାରୀ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରଣାଳୟ ନିକଟକୁ ଯାଆନ୍ତି ତେବେ ଭଲ ହେବ। ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି ବୋଲି କୋର୍ଟ କହିଛନ୍ତି।

ତିନିଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ଯେ ସେ ତାଙ୍କ ମତ ଏବଂ ଯୁକ୍ତି ସହ ସହମତ ଅଟନ୍ତି। ମାତ୍ର ପ୍ରଶ୍ନ ହେଉଛି ଯେ ଛୁଟି ଦେବା ପାଇଁ ନିଯୁକ୍ତିଦାତାଙ୍କ ଉପରେ ଚାପ ପକାଇଲେ ସେମାନେ ମହିଳାଙ୍କୁ ଚାକିରୀ ଦେବାରେ କୁଣ୍ଠାବୋଧ କରିବେ। ଏହା ନୀତି ସହ ଜଡିତ ଏକ ମାମଲା, ତେଣୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ।

କହିରଖୁଛୁ, ଶୈଳେନ୍ଦ୍ର ମଣି ତ୍ରିପାଠୀ ଏ ବାବଦରେ ଏକ ପିଟିସନ ଦାଖଲ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଆଇନ୍‌ରେ ଏକ ବ୍ୟବସ୍ଥା ଅଛି କି ଗର୍ଭଧାରଣ, ଗର୍ଭପାତ ଏବଂ ଏହାସହ ଜଡ଼ିତ ଆନୁଷଙ୍ଗିକ ମାମଲାରେ ନିଯୁକ୍ତିଦାତା ବେତନ ପ୍ରାପ୍ତ ଛୁଟି ଦେଇପାରିବେ। କିନ୍ତୁ ରାଜ୍ୟ ସରକାର ସେହି ବ୍ୟବସ୍ଥା ପାଳନ କରିବାରେ ବିଫଳ ହୋଇଥିବା ବୋଲି ସେ କହିଥିଲେ।

Share