Categories: ଜାତୀୟ

ପୂର୍ବତନ ଏମ୍‌ପିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ା୯: ୧୯୯୫ର ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ଏମ୍‌ପି ପ୍ରଭୁନାଥ ସିଂଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ପ୍ରଭୁନାଥ ଏବଂ ବିହାର ସରକାର ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟଙ୍କ ଶୁଣାଣି ସମୟରେ ପ୍ରଭୁନାଥ ଭିଡିଓ କନ୍‌ଫିରେନ୍ସିଂରେ ଜଡ଼ିତ ହୋଇ ନିଜର ରାୟ ଶୁଣିଥିଲେ।

ଜଷ୍ଟିସ ସଞ୍ଜୟ କିଶାନ କୌଶଲ, ଏସ୍‌ ଓକା, ଏବଂ ବିକ୍ରମ ନାଥଙ୍କ ଏକ ବେଞ୍ଚ ପ୍ରଭୁନାଥ ଏବଂ ବିହାର ସରକାର ଦୁଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଏହି ମାମଲାରେ ଆହତଙ୍କୁ ୫ ଲକ୍ଷ ଲେଖାଏ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଭୁନାଥ ବର୍ତ୍ତମାନ ଅନ୍ୟ ଏକ ହତ୍ୟା ମାମଲାରେ ହଜାରିବାଗ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ସୂଚନାଯୋଗ୍ୟ, ୧୯୯୫ରେ ବିହାର ବିଧାନସଭା ନିର୍ବାଚନରେ ପୂର୍ବତନ ଏମ୍‌ପିଙ୍କୁ ପରାସ୍ତ କରିଥିବା ବିଧାୟକ ଅଶୋକ ସିଂଙ୍କ ହତ୍ୟା ମାମଲାରେ ୨୦୧୭ରେ ଏକ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନିର୍ବାଚନ ଫଳାଫଳର ୯୦ ମଧ୍ୟରେ ତାଙ୍କୁ ହଟାଇବାକୁ ପ୍ରଭୁନାଥ ଧମକ ଦେଇଥିଲେ।

Share