Categories: ଜାତୀୟ

ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାର ବନ୍ଦ କରିଦେଇଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ଦାଏର ହେବା ସହ ଆବେଦନକାରିଣୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦିଆଯାଇଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଭାଜପା ଏମ୍‌ପି ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଓକିଲ କରିଥିବା ନିବେଦନକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍ଡିଓ୍ବାଲା ଏବଂ ପି.ଏସ୍‌. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ହାଇକୋର୍ଟ କିମ୍ବା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇପାରିବେ। ଏତଲା ଦାଏର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାବେଳେ ସେହି ଉଦ୍ଦେଶ୍ୟ ପୂରଣ ହୋଇଥିବା ଖଣ୍ଡପୀଠ କହିଥିଲେ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କ ପ୍ରତି ଝଟକା ନୁହେଁ ବୋଲି କୁସ୍ତିଯୋଦ୍ଧାମାନେ କହିବା ସହ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଜଣେ ନାବାଳିକାଙ୍କ ସମେତ ୭ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବ୍ରିଜଭୂଷଣଙ୍କ ଗିରଫ ଦାବି କରି ସେମାନେ ଏପ୍ରିଲ ୨୩ରୁ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିରହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ, ତେବେ ଆନ୍ଦୋଳନ ଜାରି ରହିବ ବୋଲି ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକ କହିଛନ୍ତି। ବରିଷ୍ଠମାନଙ୍କ ସହ ପରାମର୍ଶ କରି ପରବର୍ତ୍ତୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବୁ ବୋଲି ଭିନେଶ ଫୋଗତ କହିଛନ୍ତି।

Share