ସୁପ୍ରିମକୋର୍ଟଙ୍କ ରାୟ ସତର୍କଘଣ୍ଟି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସୁପ୍ରିମକୋର୍ଟ ୩ଟି କୃଷି ଆଇନ ବାବଦରେ ଯେଉଁ ରାୟ ଦେଇଛନ୍ତି ତାହା କେନ୍ଦ୍ରରେ ଥିବା ଏକ ଅଗଣତାନ୍ତ୍ରିକ ସରକାର ପାଇଁ ସତର୍କଘଣ୍ଟି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେଭଳି ସଂଖ୍ୟା ଦୃଷ୍ଟିକୋଣରୁ କେନ୍ଦ୍ରର ସରକାର ଭାରତବର୍ଷର ୧୪ କୋଟି କୃଷକଙ୍କ ଦାବିକୁ ନ ଶୁଣି ଚାଲିଛି, ଏହା ଏକ ଘୋର ବିଡ଼ମ୍ବନା ବୋଲି ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାହିଁକି ତାରିଖ ପରେ ତାରିଖ ଦିଆଚାଲିଛି ତାହା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନରତ କୃଷକ ନେତାଙ୍କ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସୁପ୍ରିମକୋର୍ଟର ରାୟ ପରେ ମିଳିପାରି ନାହିଁ। ତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଗକୁ ଏହି ଆନ୍ଦୋଳନର କାର୍ଯ୍ୟପନ୍ଥା ସ୍ଥିର ହେବ ଏବଂ ଆନ୍ଦୋଳନ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ। କିନ୍ତୁ ଉଚ୍ଚତମ ନ୍ୟାୟାଳୟର ସିଧା ନିର୍ଦ୍ଦେଶ ହେଉଛି ଏ କୃଷି ଆଇନକୁ ସ୍ଥଗିତ ରଖାଯାଉ। ତେଣୁ ମୋଦି ସରକାର ଏଥିରୁ ବୁଝିନେବା ଦରକାର ଯେ, ତରବରିଆ ଭାବେ ଏହାର କାର୍ଯ୍ୟକାରିତା ଦରକାର ନାହିଁ ବୋଲି ନିରଞ୍ଜନ କହିଛନ୍ତି।

Share