ସମୁଦ୍ରରେ ବୋଟ୍‌ରୁ ସନ୍ଦିଗ୍ଧ ଯୁବକ ଠାବ

ପାରାଦୀପ,୨।୯ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ଏକ ବୋଟ୍‌ରୁ ବୁଧବାର ରାତିରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ମତ୍ସ୍ୟଜୀବୀମାନେ ଅଚାନକ ଠାବ କରିଥିଲେ। ସେମାନେ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ପହଞ୍ଚତ୍ ତାଙ୍କୁ ମେରାଇନ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି। ମେରାଇନ ଥାନାଧିକାରୀ ସବ୍ୟସାଚୀ ରାଉତ କହିଛନ୍ତି, କୁଶ ର୍ତିକୀ ଓରାମଙ୍କ ଘର ଝାଡ଼ଖଣ୍ଡ ସିନ୍ଦେଗା ଜିଲା ଅଞ୍ଚଳରେ। ସେ ମାନସିକ ବିକାରଗ୍ରସ୍ତ ବୋଲି ଆଶଙ୍କା କରାଯାଉଛି। ତାଙ୍କ ପାଖରୁ ଗୋଟିଏ ଏଟିଏମ୍‌ କାର୍ଡ ମିଳିଛି। ତାହା ଅନ୍ୟ ଜଣଙ୍କର ଅଚଳ ଏଟିଏମ୍‌। ପ୍ରକାଶ ଯେ, ପାରାଦୀପ ମାଛଧରା ବନ୍ଦରରୁ ‘ଓମ୍‌ ନମଃ ଶିବାୟ’ ବୋଟ୍‌ ଅଗଷ୍ଟ ୨୪ରେ ସମୁଦ୍ରକୁ ଯାଇଥିଲା। ସେଥିରେ ୭ ମତ୍ସ୍ୟଜୀବୀ ଥିଲେ। ବୋଟ୍‌ ଚାଳକ ପହଲି ସ୍ବାଇଁଙ୍କ ସୂଚନା ଅନୁଯାୟୀ, ବୁଧବାର ରାତି ୧୦ଟା ବେଳେ ଚିଲିକାଠାରୁ ୭୦ ମାଇଲ ଦୂର ସମୁଦ୍ରରେ ସେମାନେ ଜାଲ ପକେଇସାରି ବୋଟ୍‌ରେ ଶୋଇପଡ଼ିଥିଲେ। ରାତି ୨ଟାରେ ବୋଟ୍‌ ଉପରେ ଉକ୍ତ ସନ୍ଦିଗ୍ଧ ଯୁବକଙ୍କୁ ଉଲଗ୍ନ ଅବସ୍ଥାରେ ଶୋଇଥିତ୍ବା ଜଣେ କର୍ମଚାରୀ ଦେଖିଥିଲେ। ଯୁବକଙ୍କୁ ପଖାଳ ଓ ଆଚାର ଖାଇବାକୁ ଦିଆଯାଇଥିଲା। ପୋଷାକ ମଧ୍ୟ ଦିଆଯାଇଥିଲା। ତାଙ୍କୁ ମତ୍ସ୍ୟଜୀବୀମାନେ କେମିତି ଆସିଲ ବୋଲି ପଚାରିବାରୁ ବନ୍ୟା ଯୋଗୁ ଭାସିଯାଇଥିଲେ ବୋଲି କହିଥିଲେ।