ଝୁଲା ପୋଲ ଅନିଶ୍ଚିତତା,ନୂଆ ବ୍ରିଜ୍‌କୁ ଅପେକ୍ଷା

ଖୁଣ୍ଟୁଣୀ,୨୨।୧୧(ଡି.ଏନ୍‌.ଏ.):କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟ ମହାନଦୀ ପଠାରେ ଥିବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିଛି। କେବେ ମରାମତି ହୋଇ ଭକ୍ତମାନେ ଯାତାୟାତ କରିବା ସହ ଠାକୁରଙ୍କୁ ଦର୍ଶନ କରିବେ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ଭକ୍ତ, ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ପରିସ୍ଥିତିରେ ନୂଆ ବ୍ରିଜ୍‌ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଝୁଲାପୋଲଠାରୁ କିଛି ଦୂର ପାଇକରାପୁର ନିକଟରେ ଏକ କଂକ୍ରିଟ ବ୍ରିଜ୍‌ ନିର୍ମାଣ ହେଉଛି। ଆଉମାତ୍ର ଦୁଇ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ଏହାପରେ ଆଉ ଝୁଲାପୋଲ ନା ଡଙ୍ଗା କି ଲଞ୍ଚ ଉପରେ ନିର୍ଭର କରିବାକୁ ପଡିବନି। ଲୋକେ ଗାଡିମୋଟରରେ ସିଧାସଳଖ ପୀଠକୁ ଯିବେ। ଏହି ବ୍ରିଜ ପାଇଁ ବ୍ୟୟ ଅଟକଳ ସାଢ଼େ ୨୩ କୋଟି ଟଙ୍କା ରହିଛି। ବ୍ରିଜର ଲମ୍ବ ୨୪୦ ମିଟର ଓ ଚଉଡ଼ା ସାଢେ ୫ ମିଟର ରହିଥିବା ବେଳେ ଏହା ୭ଟି ପିଲାର ଉପରେ ରହିବ ବୋଲି ଆରଡି ବିଭାଗର ଜଣେ ଅଧିକାରୀ କହିଛନ୍ତି। ରାଜଲକ୍ଷ୍ମୀ କନଷ୍ଟ୍ରକଶନ ଠିକାଦାରି ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇଛି। ଇତିମଧ୍ୟରେ ସମସ୍ତ ପିଲାର ନିର୍ମାଣ କାମ ସରିଥିବାବେଳେ ଉଭୟ ପାର୍ଶ୍ୱର ରୁଟ୍‌ ପିଲାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ପୋଲ ଉପରେ ଟୋଲ ଟ୍ୟାକ୍ସ ନିଆଯିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ବିଭାଗ ସ୍ଥିର କରିବ। ପୋଲ କାମ ଆଗାମୀ ମାର୍ଚ୍ଚ ମାସ ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ତ୍ୱରାନ୍ବିତ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି। ତେବେ ଝୁଲାପୋଲ ବନ୍ଦ ରହିଥିବାରୁ ଧବଳେଶ୍ୱର ପୀଠକୁ ଭକ୍ତମାନେ ଯାଇ ନ ପାରି ଠାକୁର ଦର୍ଶନରୁ ବଞ୍ଚତ୍ତ ହୋଇ ରହିଛନ୍ତି। ବ୍ରିଜ ନିର୍ମାଣ ପୂର୍ବରୁ ଝୁଲାପୋଲର ଆବଶ୍ୟକ ମରାମତି କରାଯାଇ ପୁନଃ ଚଳାଚଳ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶ ଥାଉକି, ଗୁଜରାଟ ଝୁଲାପୋଲ ଦୁର୍ଘଟଣା ପରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧବଳେଶ୍ବର ଝୁଲାପୋଲର ଯାଞ୍ଚ କରାଯାଇଥିଲା। ଝୁଲାପୋଲର ଲୁହା ତାର ସରିଯାଇଥିବା, ବିମ୍‌ ଛାଡ଼ିଯିବା, ଷ୍ଟାଣ୍ଡ୍‌ ସବୁ ଦୁର୍ବଳ ହୋଇଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଫଳରେ ଝୁଲାପୋଲର ମରାମତି ଆବଶ୍ୟକ ଥିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଉଭୟ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏହି ପୋଲକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଲା। କେବଳ ପୂଜକ ସମାଜର ଠାକୁରଙ୍କ ଦୈନିକ ନୀତି ପାଇଁ ଯିବା ବ୍ୟତୀତ କୌଣସି ଭକ୍ତ ପୀଠକୁ ଯିବା ଆସିବା ନିଷେଧ ରହିଛି। ବ୍ରିଜ ସମ୍ପୂର୍ଣ୍ଣ ହେଲେ ଆଉ ଅସୁବିଧା ରହିବ ନାହିଁ ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ କହିଛନ୍ତି। ଅନ୍ୟପଟେ ସପ୍ତାହେ ହେବ କଂକ୍ରିଟ ବ୍ରିଜ କାମ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share