ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ ମାମଲାର ତନାଘନା ଚଳାଇଛନ୍ତି। କୁଆଖିଆ ପୋଲିସ ଏହି ଘଟଣାରେ ଗିରଫ ପ୍ରେମିକ ରାକେଶ ସ୍ବାଇଁଙ୍କୁ ୩ଦନିଆ ରିମାଣ୍ଡରେ ଆଣିଛି। ବୁଧବାର ରିମାଣ୍ଡର ଦ୍ୱିତୀୟ ଦିନରେ ରାକେଶଙ୍କୁ ଭୁବନେଶ୍ୱର ଆଣି ସିନ୍‌ ରିକ୍ରିଏଶନ କରାଇଛି। ବୁଧବାର ପୋଲିସ ପ୍ରଥମେ ଅଭିଯୁକ୍ତ ରାକେଶଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ପରେ ତାଙ୍କୁ ତଦନ୍ତ ଅଧିକାରୀ ଏସଡିପିଓ ଚିନ୍ମୟ କୁମାର ନାୟକ ଯାଜପୁର ରୋଡସ୍ଥିତ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ କିଛି ସମୟ ଜେରା କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଭୁବନେଶ୍ୱରରେ ରାକେଶ ମୃତା ଛାତ୍ରୀ ଝରାଫୁଲଙ୍କୁ ଭେଟିଥିବା ଛକ, ବିରିୟାନି ଦୋକାନ, ଅଭିଯୁକ୍ତଙ୍କ ସୁନ୍ଦରପଦା ଘର, ଖଣ୍ଡଗିରି ଥାନା ଅଞ୍ଚଳର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସ ଆଦି ସ୍ଥାନକୁ ବୁଲାଇ ଥିଲେ। ବାଣୀବିହାର ବସ୍‌ଷ୍ଟାଣ୍ଡରୁ ଝରାଫୁଲ ଓହ୍ଲାଇବା ପରଠାରୁ ରାକେଶ ତାଙ୍କୁ କେଉଁଠିକୁ ସବୁ ନେଇଥିଲେ, ଏପରି କି ରାତି କିପରି କଟାଇଥିଲେ, ଝରାଫୁଲ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲ କାହିଁକି ନିଆଗଲା ନାହିଁ, ଛାତ୍ରୀଙ୍କ ମୃତଦେହ ବୋହିବାରେ ବ୍ୟବହାର ସ୍କୁଟି କେଉଁଠି ରହିଛି, ସ୍କୁଟିରେ ମୃତଦେହ ନେବାରେ ସହଯୋଗୀ କେଉଁଠି ଅଛନ୍ତି ସେନେଇ ପୋଲିସ ଟିକିନିଖି ଜେରା କରିଥିଲେ ସୁଦ୍ଧା ସହଯୋଗୀଙ୍କୁ ଠାବ କରିବାରେ ବିଫଳ ହୋଇଛି। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ଛାତ୍ରୀ ମୃତ୍ୟୁ ସନ୍ଦେହଜନକ ବୋଲି କୁହାଯାଉଥିବାବେଳେ ଏହା କ୍ରମଶଃ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘଟଣା ଦିନ ରାତିରେ ଘଟିଥିବା ଅନେକ ନୂଆ ତଥ୍ୟ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ନିଶା ସହ ବଳାକତ୍ାର ହୋଇଥାଇପାରେ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଥିବା ତଦନ୍ତ ଟିମ୍‌ରେ ସାମିଲ ଥିବା ଜଣେ ପୋଲିସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଗୁରୁବାର ରିମାଣ୍ଡର ଶେଷଦିନ। ଏହାରି ଭିତରେ ତଦନ୍ତ ଅଧିକାରୀଙ୍କ ହାତରେ ମୃତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଲାଗିଛି ବୋଲି କୁହାଯାଉଥିବାଙ୍‌ବେଳେ ଭିସାରା ରିପୋର୍ଟ ଆସିବାକୁ ଆଉ ୨ରୁ ୩ ଦିନି ଲାଗି ପାରେ ବୋଲି ଜଣାପଡିଛି। ତେବେ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ଓ ରିପୋର୍ଟରୁ ସବୁ କିଛି ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।

Share