ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର

ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ ପରିବାର। ମନରେ ପ୍ରଶ୍ନ ଆସୁଥାଇପାରେ ରୁବି କିଏ। ତେବେ ରୁବି ହେଉଛି ଏକ ଶୁଆ, ଯାହାର ମୃତ୍ୟୁର ଦୁଃଖରେ ଝରୁଛି ସମସ୍ତ ପରିବାର ଆଖିରୁ ଲୁହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ସାହିରେ। ସେଠାରେ ବାସ କରୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଲୋଚନ ସ୍ବାଇଁଙ୍କ ଘରେ ରହିଥିଲା ଏହି ଶୁଆ ତଥା ରୁବି। ବୁଧବାର ହଠାତ ରୁବିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ରୁବିର ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଛି । ଆଗକୁ ନିୟମ ଅନୁସାରେ ତାହାର ଦଶାହ ସହିତ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସ୍ବାଇଁ କହିଛନ୍ତି । କେବଳ ପରିବାରର ବଡ଼ ସଦସ୍ୟ ନୁହନ୍ତି ଛୋଟ ପିଲା ବି ରୁବିକୁ ହରାଇ ଭାଙ୍ଗି ପଡ଼ିଛନ୍ତି । ରୁବି ସହ ବିତାଇଥିବା ସମୟକୁ ମନେପକାଇ ତାକୁ ଝୁରୁଛନ୍ତି । ପକ୍ଷୀ ସହ ମଣିଷର ଏହି ସମ୍ପର୍କକୁ ବେଶ୍‌ ପ୍ରଶଂସା କରିଛନ୍ତି ଉମରକୋଟ ବାସିନ୍ଦା।

 

Share