ଜଳାଶୟକୁ ପଶୁଛି ଡାକ୍ତରଖାନା ଆବର୍ଜନା

ବରଗଡ,୨୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା (ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଏକ ଜଳାଶୟକୁ ପଶୁଥିବା ଯୋଗୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ସୋମବାର ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟୁକୁର୍ଲା ଗ୍ରାମର ଶତାଧିକ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ୪କୋଟି ଟଙ୍କା ମଞ୍ଚୁର ହୋଇ ସାରିଥିବା ନେଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂଚନା ଦେବା ପରେ ଆନ୍ଦୋଳନ ଥମିଥିଲା।
ପ୍ରକାଶ ଯେ, ବରଗଡ଼ ସହରଠାରୁ ପ୍ରାୟ ୮କି.ମି ଦୂର ଟୁକୁର୍ଲା(ଖେଦାପାଲି)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ଡାକ୍ତରଖାନାର ଅନତିଦୂରରେ ଟୁକୁର୍ଲା ଗ୍ରାମବାସୀଙ୍କ ପ୍ରାୟ ୮୪ଏକର ପରିମିତ ଏକ ଜଳାଶୟ ରହିଛି। ଉକ୍ତ ଜଳାଶୟରେ ଲୋକେ ପୂଜାପାଠ ସହିତ ସ୍ନାନ କରିଥାନ୍ତି। କିନ୍ତୁ ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ପରଠାରୁ ଜଳାଶୟ ପାଣି ଦୂଷିତ ହେବାରେ ଲାଗିଛି। ଡାକ୍ତରଖାନାରୁ ନିର୍ଗତ ମଇଳା ପାଣି ସହିତ ବ୍ୟବହୃତ ବ୍ୟାଣ୍ଡେଜ କପଡ଼ା, ତୁଳା, ସାଲାଇନ ବୋତଲ ଆଦି ଆବର୍ଜନା ଜଳାଶୟ ଭିତରକୁ ପଶୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଦୂଷିତ ପାଣି ବ୍ୟବହାର କରି ଲୋକେ ବିଭିନ୍ନ ସଂକ୍ରାମକ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା କହିଛନ୍ତି। ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ନେଇ ଉତ୍ତେଜନା ଦେଖାଯାଇଥିଲା।
ଗ୍ରାମର ଶତାଧିକ ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ସେହି ସମସ୍ୟା ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଆଖିବୁଝି ଦେଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମବାସୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ଡାକ୍ତରଖାନାରେ ନୂତନ ସି.ଟି ସ୍କାନ ମେଶିନ ଉଦ୍‌ଘାଟନ ପାଇଁ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ। ଲୋକେ ଜଳାଶୟ ପାଣି ସମସ୍ୟା ନେଇ ସେମାନଙ୍କୁ ଅବଗତ କରିଥିଲେ। ପରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସେଠାରେ ପହଞ୍ଚତ୍ ଡାକ୍ତରଖାନା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ ଏବଂ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବା ସୂଚନା ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।