ତାଲିବାନ୍‌ ଶାସନର ସିଲାବସ୍‌

ସହଦେବ ସାହୁ

 

‘ଈଶ୍ୱର’ଙ୍କୁ ଆରବୀୟ ଭାଷାରେ ‘ଆଲ୍ଲା’ କହନ୍ତି। ଇସ୍‌ଲାମରେ ଆଲ୍ଲାଙ୍କ ବ୍ୟତୀତ ଅନ୍ୟ କୌଣସି ଠାକୁର ନାହାନ୍ତି, ସେହି ଅଦ୍ୱୈତ ଈଶ୍ୱରଙ୍କର ବାଣୀ ମହମ୍ମଦ ଶୁଣି ଅନୁଗତମାନଙ୍କୁ ଶୁଣାଇଛନ୍ତି ବୋଲି ମହମ୍ମଦଙ୍କୁ ‘ଈଶ୍ୱରଙ୍କ ଦୂତ’ (ପ୍ରଫେଟ୍‌) କୁହାଯାଏ। ମହମ୍ମଦ ତାଙ୍କ ଅନୁଗତମାନଙ୍କୁ ଘେନି ପ୍ରଥମ ମୁସଲିମ୍‌ ସମ୍ପ୍ରଦାୟ ସ୍ଥାପନ କଲେ, ବର୍ତ୍ତମାନର ମେଦିନା (ସାଉଦି ଆରବ) ସହରରେ ୬୨୨ ଖ୍ରୀଷ୍ଟାବ୍ଦରେ। ସେହି ବର୍ଷ ଆନୁଷ୍ଠାନିକ ଭାବେ ଇସ୍‌ଲାମ ଧର୍ମର ଜନ୍ମ। ମହମ୍ମଦ ପ୍ରଚାର କଲେ ଆଲ୍ଲା ସାରା ଦୁନିଆର ଏକମାତ୍ର ଈଶ୍ୱର, ତାଙ୍କଠାରେ ନିଜକୁ ସମର୍ପଣ (ଇସ୍‌ଲାମମାନେ ସମର୍ପଣ) କରିବା ହେଉଛି ଧର୍ମ। ଆଲ୍ଲା ତାଙ୍କୁ ଯାହା କହିଥିଲେ ବୋଲି ମହମ୍ମଦ ପ୍ରକାଶ କଲେ ତାହାର ଲିଖିତ ରୂପ ହେଉଛି କୋରାନ୍‌, ତତ୍କାଳୀନ ଆରାମିକ୍‌ ଓ ଆରବୀ ଭାଷାରେ। କୋରାନ୍‌ର ମାତ୍ର ୧୦% ଶ୍ଲୋକ ଅପରାଧ ସମ୍ପର୍କୀୟ। ବ୍ୟାଖ୍ୟା କରି ମହମ୍ମଦ ଯାହା କହିଥିଲେ ତାହା ହାଡିଥ୍‌ (ମହମ୍ମଦଙ୍କ ବାଣୀ) ଓ ଯାହା କାର୍ଯ୍ୟରେ ଦେଖାଇଥିଲେ ତାହା ସୁନ୍ନା (ମହମ୍ମଦଙ୍କ କାର୍ଯ୍ୟାବଳୀ): ଏ ଦୁଇଟି ଗ୍ରନ୍ଥ କୋରାନ୍‌ ସହ ମିଶିଗଲେ ପୂରା ଶାରିଆ (ଆଇନ ସଂହିତା) ହୋଇଯାଏ, ନୈତିକ ଆଚରଣ ସହ ଉପାସନା ଆଉ ଖଇରାତ ସମ୍ବନ୍ଧୀୟ ନିୟମ ଏଥିରେ ଅନ୍ତର୍ଭୁକ୍ତ। ଶାରିଆ ଅନୁଯାୟୀ ଅପରାଧ ଦୁଇ ଶ୍ରେଣୀର: ଗୋଟିଏ ହାଡ୍ଡ ବା ସଙ୍ଗିନ ଅପରାଧ, ଯାହାର ଦଣ୍ଡ ଲିଖିତ ହୋଇଛି ଓ ଅନ୍ୟଟି ତାଜିର୍‌ ବା ସାଧାରଣ ଅପରାଧ, ଯାହାର ଦଣ୍ଡ ବିଚାରପତି ନିଜେ ନିର୍ଣ୍ଣୟ କରନ୍ତି । ଯଥା – ଚୋରି କ୍ଷେତ୍ରରେ ଲିଖିତ ଦଣ୍ଡ ହେଉଛି ଅପରାଧୀର ହାତ କାଟିଦେବା। ଶାରିଆ କହେ, ଗୁରୁତର ଅପରାଧ ପାଇଁ କଡ଼ା ପ୍ରମାଣ ଦରକାର, କିନ୍ତୁ ଯାହା ଦେଖାଯାଏ କଡ଼ା ପ୍ରମାଣ ସଂଗ୍ରହ ନ କରି କେବଳ ସନ୍ଦେହ ଉପରେ ବି ହାଡ୍ଡ ଦଣ୍ଡ ଦିଆଯାଉଛି। ଆଲ୍ଲାଙ୍କ ବାଣୀ ହୋଇଥିବାରୁ ଶାରିଆ ଅପରିବର୍ତ୍ତନୀୟ, ଉଲେମା ବା ମୁଲ୍ଲା କେବଳ ବ୍ୟାଖ୍ୟା କରିପାରିବେ । ସେମାନଙ୍କ ଯେଉଁ ବ୍ୟାଖ୍ୟାଟି ନିର୍ଦ୍ଦେଶିକା ରୂପେ ଗୃହୀତ ହୁଏ ତାକୁ ଫତ୍‌ୱା କୁହାଯାଏ। ତାଲିମ୍‌ ଓ ଗୁଣ ଉଲେମାମାନଙ୍କର ସଂସ୍କାର ତିଆରି କରେ।
ମୌଳବାଦୀ ମୁଲ୍ଲା ବା ଉଲେମାମାନେ କହନ୍ତି, ଆଲ୍ଲାଙ୍କ ଦୁନିଆରେ ତାଙ୍କୁ ବିଶ୍ୱାସକରୁ ନ ଥିବା ଲୋକଙ୍କ ସ୍ଥାନ ନାହିଁ, ତେଣୁ ସେମାନଙ୍କୁ ନିପାତ କଲେ ଆଲ୍ଲା ଖୁସିହେବେ, ଏହା ହିଁ ଜିହାଦ୍‌ ବା ଧର୍ମଯୁଦ୍ଧକୁ ପ୍ରେରଣା ଦେଉଛି ଏବଂ ମଦ୍ରାସାରେ ପଢ଼ିଥିବା କେତେକ ତାଲିବାନ୍‌ଙ୍କୁ ସନ୍ତ୍ରାସବାଦୀ କରୁଛି ଏବଂ ଅଲ୍‌-କାଏଦା ଭଳି ସନ୍ତ୍ରାସବାଦୀ-ଗୋଷ୍ଠୀ ସୃଷ୍ଟି କରିଛି। ମୌଳବାଦୀମାନେ ଭୁଲିଯାଉଛନ୍ତି ଯେ ମହମ୍ମଦ ଯେତେବେଳେ ଇସ୍‌ଲାମ୍‌ ପ୍ରଚାର କଲେ, ଆରବ ମରୁଭୂମିର ପରିସ୍ଥିତିକୁ ଘେନି ସେଠାକାର ଲୋକଙ୍କ ଆଚରଣ (ଧର୍ମ) କିପରି ହେବା କଥା, ତାହା ସେ ପ୍ରଚାର କରିଛନ୍ତି। ୭ମ ଶତାବ୍ଦୀର ଆରବ-ଅଞ୍ଚଳର ଇତିହାସ ଏବଂ ୭ମ ଶତାବ୍ଦୀର ଆରବ-ଅଞ୍ଚଳର ଭୂଗୋଳ ଆଲ୍ଲାଙ୍କ ଦୁନିଆକୁ ତିଆରି କରିଛି ବୋଲି ଇସ୍‌ଲାମିକ୍‌ ପଣ୍ଡିତମାନେ ବୁଝୁନାହାନ୍ତି। ଆରବ ମରୁଭୂମିର ଯାଯାବର ପୋଷାକ ଇସ୍‌ଲାମୀୟ ପୋଷାକ ହୋଇଗଲା ତ ୭ମ ଶତାବ୍ଦୀରେ ପ୍ରଚଳିତ ଆରବୀ ଭାଷାରେ ଲିଖିତ ବାକ୍ୟଗୁଡ଼ିକ ଈଶ୍ୱରଙ୍କ ବାଣୀ ହୋଇଗଲା। ୬୩୨ରେ ମହମ୍ମଦଙ୍କ ମୃତ୍ୟୁ ପରେ ଆଲ୍ଲା କାହାରିକୁ ବାଣୀ ଶୁଣାଇବା ବନ୍ଦ କରିଦେଲେ। ଯେମିତି ଭାରତବର୍ଷରେ ଧର୍ମରେ ଗ୍ଲାନି ପଶିଲେ ବି ଈଶ୍ୱର ଆଉ ଆବିର୍ଭାବ ହେଉନାହାନ୍ତି।
ସେ ଯାହାହେଉ ଇସ୍‌ଲାମ ଧର୍ମରେ ପରିଚାଳିତ ସରକାର ଶାରିଆ ନିୟମକୁ ଦେଶର ଆଇନ କରିନିଅନ୍ତି। କୋରାନ୍‌ ହେଉଛି ସାଗର, ଶାରିଆ ହେଉଛି ସେହି ସାଗରରେ ପହଞ୍ଚିବାର ମାର୍ଗ – ଶାରିଆ ଏକ ଆଇନ ସଂହିତା। ମୁଲ୍ଲା ଓ ଉଲେମାମାନେ କହନ୍ତି, ଏହା ଆଲ୍ଲାଙ୍କ ବାଣୀ ହୋଇଥିବାରୁ ମଣିଷ ଏହାକୁ ଉପେକ୍ଷା କରିପାରିବନାହିଁ। ଆଧୁନିକ ମାନବିକତା ଆଳରେ ଶାରିଆ ଆଇନକୁ ବଦଳାଇହେବନାହିଁ। ପ୍ରାକ୍‌-ଇସ୍‌ଲାମ ସମାଜକୁ ଶାରିଆ ବଦଳାଇଦେଲା, କିନ୍ତୁ ଆଧୁନିକ ସମାଜ ଶାରିଆ ଆଇନର ସଂଶୋଧନ କରିପାରିବନାହିଁ। ତେଣୁ ମହମ୍ମଦଙ୍କ ସମୟର ଶାଳୀନତା ଓ ନମ୍ରତା (‘ହୟା’) ଅନୁଯାୟୀ ପ୍ରଚଳିତ ପୋଷାକପତ୍ର ହିଁ ଆଜିର ପୋଷାକପତ୍ର।
ଆମେରିକା ଯୁକ୍ତରାଷ୍ଟ୍ର ଆଫଗାନିସ୍ତାନ ଛାଡ଼ିଚାଲିଗଲେ ତାଲିବାନ୍‌ମାନେ ଆଫଗାନିସ୍ତାନକୁ ଦଖଲ କରିନେବେ ବୋଲି ଆମେରିକା ଭାବିଥିଲା, ୨୦୨୦ ଫେବୃୟାରୀ ୨୯ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାତାର୍‌ର ଦୋହାଠାରେ ତାଲିବାନ୍‌ ନେତାଙ୍କ ସହ କଥାବାର୍ତ୍ତା କରିଥିଲେ, ତାଲିବାନ୍‌ ନରମ ଓ ଉଦାର ହେବ ବୋଲି ରାଜିନାମା କରିନେଲେ। କିନ୍ତୁ ତାଲିବାନଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ବହୁତ ପ୍ରଭେଦ। ଆଫଗାନିସ୍ତାନର ତାଲିବାନ୍‌ ସରକାରରେ କେବଳ ପୁରୁଷ ହିଁ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି, ତହିଁରେ ପୁଣି ଜାତିସଂଘର ସନ୍ତ୍ରାସବାଦୀ କଳା ତାଲିକାରେ ଥିବା ୧୪ ଜଣ ଅଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଗ୍ଲୋବାଲ୍‌ ଟେରରିଷ୍ଟ ସିରାଜୁଦ୍ଦିନ୍‌ ହକାନି, ଯାହାଙ୍କୁ କେହି ଧରିଆଣିଲେ ଜାତିସଂଘ କୋଟିଏ ଡଲାର୍‌ ପୁରସ୍କାର ଦେବ ବୋଲି ଘୋଷଣା କରିଛି। କାମଚଳା ପ୍ରଧାନମନ୍ତ୍ରୀ ମୁଲ୍ଲା ହାସାନ୍‌ ଓ ତାଙ୍କ ଦୁଇ ଡେପୁଟି ଜାତିସଂଘର କଳାତାଲିକାରେ ଥିବା ଲୋକ। ‘ତାଲିବାନ୍‌ ପାଞ୍ଚ’ ନାମରେ ପରିଚିତ ୫ଜଣ ନେତା ଆଗେ ୟୁଏସ୍‌ର ଗୁଆଣ୍ଟେନାମୋ ବେ’ ଜେଲ୍‌ଖାନାରେ ବନ୍ଦୀ ଥିଲେ। ଦୋହାଠାରେ ଆମେରିକା ସହିତ ଶାନ୍ତି ଆଲୋଚନାରେ ତାଲିବାନର ମୁଖ୍ୟ ଭାବେ ଭାଗନେଇଥିବା ମୁଲ୍ଲା ଅବ୍ଦୁଲ୍‌ ଘାନି ବରଦାର୍‌ କାବୁଲରେ ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ଭାବୁଥିବା ୟୁଏସ୍‌ ଏବେ ଆଶ୍ଚର୍ଯ୍ୟ ହେଉଛି ଯେ ସେ କାମଚଳା ତାଲିବାନ୍‌ ସରକାରରେ ତାଙ୍କ ପ୍ରଭାବ ନାହିଁ, ସେ ଉପରୁ ୩ୟ ଥାକ ତଳେ ୨ ଡେପୁଟି ପ୍ରଧାନ ମନ୍ତ୍ରୀଙ୍କ ଭିତରୁ ଜଣେ। ଇରାନ୍‌ ଢାଞ୍ଚାରେ ଆଫଗାନିସ୍ତାନର ତାଲିବାନ୍‌ ସରକାର ସମସ୍ତଙ୍କ ଉପରେ ଜଣେ ଧର୍ମଗୁରୁ ହାଇବତ୍‌ଉଲ୍ଲା ଅଖଣ୍ଡଜାଦାଙ୍କୁ ସୁପ୍ରିମ୍‌ ଲିଡର୍‌ କରିଛନ୍ତି, ଯାହାଙ୍କ ପାଖେ ଉତ୍ତରଦାୟୀ ରହିବେ ପ୍ରଧାନମନ୍ତ୍ରୀ ମୁଲ୍ଲା ମହମ୍ମଦ ହାସାନ୍‌ ଅଖୁଣ୍ଡ। ଆଗରୁ ତାଲିବାନ୍‌ ନେତୃମଣ୍ଡଳୀ କହୁଥିଲେ ନାରୀ ସ୍ବାଧୀନତା ଦିଆଯିବ, ଧାର୍ମିକ ସହନୀୟତା ବଳବତ୍ତର ରହିବ, କିନ୍ତୁ ସେମାନଙ୍କ ୩୩ ଜଣିଆ ମନ୍ତ୍ରିମଣ୍ଡଳରେ ଜଣେ ବି ମହିଳା ନ ଥିବା ତାଲିବାନ୍‌ ପ୍ରତିଶ୍ରୁତି ପାଣିର ଗାର ମନେହେଉଛି। ମନ୍ତ୍ରିମଣ୍ଡଳର ଅଧାଅଧି ଜାତିସଂଘର ବାସନ୍ଦ (ସାଙ୍କସନ୍‌) ତାଲିକାରେ ଅଛନ୍ତି ତ ଜାତିସଂଘର ସଦସ୍ୟଥିବା ରାଷ୍ଟ୍ରମାନେ କିପରି ଏପ୍ରକାରର ସରକାରକୁ ସ୍ବୀକୃତି ଦେବେ? ସବୁକିଛି ଓଲଟାମୋଲଟା ହୋଇଯାଉଛି।
କଠୋରପନ୍ଥୀ ଜିହାଦୀ ଓ ଅଲ୍‌-କାଏଦା ସନ୍ତ୍ରାସବାଦୀ ସହ ଯୋଗସୂତ୍ର ରଖୁଥିବା ଏବଂ ଯାହାର ଗିରଫ ପାଇଁ ଏଫ୍‌ ବି ଆଇ କୋଟିଏ ଡଲାର ମୁଣ୍ଡମୂଲ ଯାଚିଛି, ସେହି ସିରାଜୁଦ୍ଦିନ ହକ୍କାନି ଏହି ସରକାରରେ ହୋମ୍‌ ମିନିଷ୍ଟର୍‌, ୟୁଏସ୍‌ ଗାଲରେ ଏକ ଶକ୍ତ ଚାପୁଡ଼ା। ପ୍ରତିରକ୍ଷାମନ୍ତ୍ରୀ ମହମ୍ମଦ ୟାକୁବ୍‌ ସନ୍ତ୍ରାସବାଦୀ ବୋଲି ଧରା ନ ଯାଉଥିଲେ ବି ସିଏ ତ ୟୁଏସ୍‌-ରାତ୍ରିଅର୍ଦ୍ଧରେ-ମାରିଥିବା ଓସାମା ବିନ୍‌ ଲାଡେନ୍‌ର ଜ୍ୟେଷ୍ଠ ପୁଅ। କେବଳ ଆମେରିକା ନୁହେଁ ଅନ୍ୟ ଦେଶମାନେ ବି ଚିନ୍ତିତ। ତାଲିବାନ ସରକାରରେ ସେନାବାହିନୀର ମୁଖ୍ୟ ହୋଇଛି କାରି ଫସିଉଦ୍ଦିନ୍‌, ଯିଏ ଇଷ୍ଟ ଟର୍କେଷ୍ଟାନ୍‌ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ ସହ ମିଶି ଚାଇନାର ଜିନ୍‌ଜିଆଙ୍କ ପ୍ରଦେଶରେ ସନ୍ତ୍ରାସବାଦ ଚଳାଇଥିଲେ। ତେଣୁ ଚାଇନା ଦ୍ୱିଧାରେ ଅଛି। ଇରାନ୍‌ ସରକାର ସିଆ ପନ୍ଥୀ ମୁସଲମାନଙ୍କ ସରକାର, ଆଫଗାନିସ୍ତାନରେ ଥିବା ସିଆ ପନ୍ଥୀ ହାଜାରା ସମ୍ପ୍ରଦାୟକୁ ତାଲିବାନ୍‌ ଦବାଇ ରଖିଛି, ତାହା ଇରାନ୍‌ ସରକାରକୁ ଚିନ୍ତାରେ ପକାଉଛି। ଯେଉଁ ତାଲିବାନ୍‌କୁ ପାକିସ୍ତାନ ସାହାଯ୍ୟ କରୁଛି, ଏପରି କି ପଞ୍ଚଶିର ପ୍ରଦେଶ ଦଖଲ କରିବାରେ ସାହାଯ୍ୟ କରିଛି, ସେହି ତାଲିବାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧୀ ଚରମପନ୍ଥୀମାନେ ସ୍ବାଗତ କରୁଛନ୍ତି, ତେଣୁ ଇମ୍ରାନ ଖାଁଙ୍କ ଡର ତାଲିବାନ୍‌ ସରକାରଙ୍କ ପ୍ରୋତ୍ସାହନରେ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ସହଜେ ତ କଠୋରପନ୍ଥୀ ଇସ୍‌ଲାମୀୟ ଦଳମାନେ ପାକିସ୍ତାନକୁ ଅଧିକତର ମୌଳବାଦୀ ଇସ୍‌ଲାମୀ ରାଷ୍ଟ୍ର କରିବାକୁ ଚାହାନ୍ତି। ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି) ଗୋଷ୍ଠୀ ଅଧୀନରେ ୬୦୦୦ ତାଲିମପ୍ରାପ୍ତ ଲଢୁଆ ଆଫଗାନିସ୍ତାନରେ ଅଛନ୍ତି। ଏମାନେ ନିର୍ବାଚନ ଚାହାନ୍ତି ନାହିଁ। ଚରମପନ୍ଥୀ ଧର୍ମଗୁରୁମାନଙ୍କ ଶାସନ ଚାହାନ୍ତି। ତେଣୁ ଇମ୍ରାନ ଖାଁ ବହୁତ ଚାପରେ ରହିବେ ଦେଶଟାକୁ ଆସ୍ତେ ଆସ୍ତେ ଶାରିଆ ଅଧୀନକୁ ଆଣିବାକୁ।
ନିଶାଦ୍ରବ୍ୟ କାରବାରୀମାନେ (ଡ୍ରଗ୍‌ ଲର୍ଡସ୍‌), ପାକିସ୍ତାନୀ ଅଫିସରମାନେ ଓ ସାଉଦି ପାଣ୍ଠି ବଳରେ ବଳବାନ୍‌ ତାଲିବାନ୍‌ କେତେଦିନ ବର୍ତ୍ତମାନର ଆଫଗାନିସ୍ତାନ-ସରକାରକୁ ଟେକି ରଖୁଛନ୍ତି ତାହା ଦେଖିବାକୁ ରହିଲା।
sahadevas@yahoo.com