ଡ. ପ୍ରଫୁଲ୍ଲ କୁମାର ସାହୁ
ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀ- ଉଭୟ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ ଅହିଂସାର ଆଜୀବନ ପୂଜାରୀ ଓ ଅନ୍ୟ ଜଣେ ଶାନ୍ତିର କପୋତ। ଜଣେ ଜାତିର ଜନକ ଓ ଅନ୍ୟ ଜଣେ ତାଙ୍କର ଆଜୀବନ ଅନୁଗାମୀ। ଜଣେ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ଓ ଅନ୍ୟ ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା। ଉଭୟ ମହାପୁରୁଷଙ୍କ ତ୍ୟାଗପୂତ ସାଧନା ଅତୁଳନୀୟ ଭାରତର ଏକ ଦିବ୍ୟ ମହିମାମୟ ଅଧ୍ୟାୟ।
ବାପୁଜୀ ଥିଲେ ଏକ ଅସାଧାରଣ ନେତୃତ୍ୱ ଓ ସମ୍ମୋହନକାରୀ ବ୍ୟକ୍ତିତ୍ୱର ଅଧିକାରୀ। ତାଙ୍କ ବ୍ୟକ୍ତିତ୍ୱର ଶକ୍ତି ବଳରେ ଜାଗି ଉଠିଲା ଭାରତୀୟ ମହାଜାତି। ପିଲାଟି ଦିନରୁ ଲାଲବାହାଦୁରଙ୍କ ଭିତରେ ଚମକୁଥିଲା ଦେଶପ୍ରେମର ଏକ ଆଗ୍ନେୟ ଆଭା। କାଶୀ ବିଦ୍ୟାପୀଠରେ ପଢୁଥିବା ବେଳେ ତାଙ୍କୁ ଉଦ୍ବେଳିତ କଲା ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଡାକରା। ପାଠପଢାକୁ ପଛରେ ପକାଇ ସେ ମୁକ୍ତି ଆନ୍ଦୋଳନରେ ସାମିଲ ହେଲେ ମାତ୍ର ୧୭ ବର୍ଷ ବୟସରେ। ସେବେଠାରୁ ଗାନ୍ଧିଜୀଙ୍କର ଜଣେ ପରମ ଅନୁଗାମୀ ଭାବେ ସ୍ବାଧୀନତା ଆନ୍ଦୋଳନର ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ରାଜନୀତି କ୍ଷେତ୍ରରେ ରଖି ଯାଇଛନ୍ତି ବିରଳ ଆଦର୍ଶର ଛାପ।
ଗାନ୍ଧିଜୀ ଥିଲେ ପ୍ରେମମୟ। ରୋଗୀ ଓ ଅସହାୟ ସେବାରେ ସେ ନିଜକୁ ସର୍ବଦା ଉନ୍ମୁଖ ରଖୁଥିଲେ ଏବଂ ତହିଁରେ ନିହିତ ଥିଲା ତାଙ୍କ ହୃଦୟର ଗଭୀର ପ୍ରେମ ଓ ଆନ୍ତରିକତା। ଏଭଳି ଉତ୍ସର୍ଗୀକୃତ ସେବାରୁ ହିଁ ଆରମ୍ଭ ଆଦର୍ଶ ପୁରୁଷ ଶାସ୍ତ୍ରିଜୀଙ୍କ ଆଦର୍ଶ କର୍ମସୂଚୀ। ଛାତ୍ର ଜୀବନରୁ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଲୋକ ସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟଙ୍କ ସେବାମୂଳକ କାର୍ଯ୍ୟ। ତେଣୁ ସ୍ନାତକ ଶିକ୍ଷା ସମାପ୍ତ ପରେ ସେ ଜନସେବାକୁ ବ୍ରତ ଭାବରେ ଗ୍ରହଣ କରି ଯୋଗ ଦେଲେ ଲୋକସେବକ ମଣ୍ଡଳରେ। ସମାଜ ସେବା କ୍ଷେତ୍ରରେ ନିଜର ଅନ୍ୟ ନିଷ୍ଠା ପ୍ରଦର୍ଶନ କରି ପରବର୍ତ୍ତୀ ସମୟରେ ମଣ୍ଡନ କଲେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ।
ଦେଶରେ ସାଂପ୍ରଦାୟିକ ସଦ୍ଭାବନା ଅତୁଟ ରଖିବା ପାଇଁ ଗାନ୍ଧିଜୀ ଜୀବନ ବ୍ୟାପୀ ସଂଗ୍ରାମ କରିଛନ୍ତି ଏବଂ ତାଙ୍କ ପରିକଳ୍ପିତ ସ୍ବରାଜ ଥିଲା ସର୍ବଧର୍ମ ସମନ୍ବୟର ମଞ୍ଚ। ଜାତିଭେଦ ଓ ଅସ୍ପୃଶ୍ୟତା ନିବାରଣ ଥିଲା ତାଙ୍କ ଅଠର ଦଫା ରଚନାତ୍ମକ କାର୍ଯ୍ୟକ୍ରମର ଏକ ପ୍ରମୁଖ ପ୍ରସଙ୍ଗ। ଗାନ୍ଧିଜୀଙ୍କ ପରି ଶାସ୍ତ୍ରିଜୀ ଥିଲେ ଧର୍ମ ନିରପେକ୍ଷ ଓ ଜାତିଆଣ ଭେଦାଭେଦର ଘୋର ବିରୋଧୀ। ଏହି କାରଣରୁ କାଶୀ ବିଦ୍ୟାପୀଠରୁ ପାଇଥିବା ଶାସ୍ତ୍ରୀ ଉପାଧିକୁ ସାଙ୍ଗିଆ ଭାବରେ ନିଜ ନାମ ସହିତ ଯୋଡ଼ିଥିଲେ ବଂଶାନୁକ୍ରମିକ ସାଙ୍ଗିଆ ଶ୍ରୀବାସ୍ତବ ବଦଳରେ।
ଗାନ୍ଧିଜୀ କହୁଥିଲେ ସତ୍ୟ ପ୍ରତି ଆଗ୍ରହ ହିଁ ସତ୍ୟାଗ୍ରହ। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ସତ୍ୟାଗ୍ରହୀଙ୍କ ପାଇଁ ଜୀବନ ଗଢ଼ିବାର ଏକ ବିଦ୍ୟାଳୟ। ସତ୍ୟାଗ୍ରହର ଏହି ତତ୍ତ୍ବକୁ ଉପଲବ୍ଧି କରିଥିବାରୁ ସ୍ବାଧୀନ ଭାରତରେ ବିକ୍ଷୋଭକାରୀଙ୍କ ପ୍ରତି ତାଙ୍କ ଭିତରେ ଥିଲା ପ୍ରଚୁର ଶ୍ରଦ୍ଧା ଓ ସମ୍ବେଦନା। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାଳନା କରିବା ଏକ ସାଧାରଣ କଥା। ମାତ୍ର ଶାସ୍ତ୍ରିଜୀ ଗୃହମନ୍ତ୍ରୀ ଥିବାବେଳେ କୋହଳ ହେଲା ଆଇନ। ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ଼ ପରିବର୍ତ୍ତେ ପାଣିମାଡ଼ ପାଇଁ ସେ ଜାରି କଲେ ନିର୍ଦ୍ଦେଶନାମା।
ନୀତି ନୈତିକତାକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଥିଲେ ଗୋଟିଏ ମୁଦ୍ରାର ଦୁଇଟି ପାଶର୍ବ। ଗାନ୍ଧିଜୀଙ୍କ ଦ୍ବାରା ଅନୁପ୍ରେରିତ ହୋଇ ସେବା, ସାଧନା, ସଂକଳ୍ପ ଓ ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ଶାସ୍ତ୍ରିଜୀ। ରେଳବାଇ ମନ୍ତ୍ରୀ ଥିବାବେଳେ ତାମିଲନାଡୁରେ ଏକ ରେଳ ଦୁର୍ଘଟଣା ତାଙ୍କ କୋମଳ ପ୍ରାଣରେ ଆଣିଥିଲା ଭୀଷଣ ଆଘାତ। ଏଥିପାଇଁ ନିଜକୁ ଦାୟୀକରି ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କଲେ, ଯାହାକୁ ନେଇ ଜାତୀୟ ରାଜନୀତିରେ ସୃଷ୍ଟିହେଲା ମୂଲ୍ୟବୋଧର ଏକ ନୂଆ ଅଧ୍ୟାୟ।
ଭାରତୀୟଙ୍କ ଦୃଷ୍ଟିରେ ଗାନ୍ଧିଜୀ ଥିଲେ ଏକ ମହତ୍ତର ଚେତନା। ତାଙ୍କ ଆହ୍ବାନକୁ ଐଶ୍ବରିକ ମୁକ୍ତିଦାତାର ଅକାଟ୍ୟ ବାଣୀ ଭାବରେ ଗ୍ରହଣ କରି ଦେଶ ଲଢ଼ିଲା ଅହିଂସ୍ର ଲଢ଼େଇ। ଶେଷରେ ଉଇଁଲା ସ୍ବାଧୀନତାର ସୂର୍ଯ୍ୟ। ପ୍ରମାଣ ହେଲା ସତ୍ୟ ଓ ଅହିଂସାର ପଥ ଯେତେ କଠିନ ହେଲେ ବି ତାକୁ ଅତିକ୍ରମ କରିବା ପାଇଁ ଲୋଡା ଧୈର୍ଯ୍ୟ, ସହିଷ୍ଣୁତା, ନିଷ୍ଠା, ଦୃଢ଼ ମନୋବଳ ଓ ଆତ୍ମସଂଯମ; ଏ ସକଳ ଗୁଣର ଅଧିକାରୀ ଥିଲେ ଶାସ୍ତ୍ରିଜୀ। ଗାନ୍ଧିଜୀଙ୍କ ପରି ମହତ୍ତର ଭାବନା ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ। ତାଙ୍କ ରାଷ୍ଟ୍ରଭକ୍ତି, ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ପ୍ରତିବଦ୍ଧତାକୁ ମଧ୍ୟ ଠିକ୍ ଭାବରେ ଆକଳନ କରିପାରିଥିଲେ କଂଗ୍ରେସର ତୁଙ୍ଗନେତୃ ମଣ୍ଡଳୀ। ସେଥିପାଇଁ ପଣ୍ଡିତ ନେହେରୁଙ୍କ ଦେହାନ୍ତ ପରେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କଲା ଦେଶ।
ଗାନ୍ଧିଜୀଙ୍କ ପ୍ରାଣକୁ ସଦା ବ୍ୟଥିତ କରୁଥିଲା ଦାରିଦ୍ର୍ୟ କବଳିତ ଲୋକଙ୍କ ଦୁଃଖ ଓ ଯନ୍ତ୍ରଣା। ତେଣୁ ତାଙ୍କ ପରିକଳ୍ପିତ ଅର୍ଥନୀତିରେ ସବା ଆଗରେ ଥିଲା ଦାରିଦ୍ର୍ୟ ଦୂରୀକରଣ। ଏହି ଦୃଷ୍ଟିରୁ ଶୈଶବରୁ ଦାରିଦ୍ର୍ୟ ସହିତ ଲଢ଼ି ଆଗକୁ ବଢ଼ିଥିବା ଶାସ୍ତ୍ରିଜୀ ଥିଲେ ଦରିଦ୍ରଙ୍କର ପ୍ରକୃତ ବନ୍ଧୁ। ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଲାବେଳକୁ ମରୁଡ଼ି କାରଣରୁ ଘୋର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିଲା ଦେଶ। ଆକାଶଛୁଆଁ ହୋଇଥିଲା ଖାଦ୍ୟ ପଦାର୍ଥର ଦରଦାମ୍। ଏଭଳି ସ୍ଥିତିରେ ତାଙ୍କର ପ୍ରଥମ ପଦକ୍ଷେପ ଥିଲା ଦରଦାମ୍ ନିୟନ୍ତ୍ରଣ। ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତିକୁ ସେ ଅନେକାଂଶରେ ସଜାଡି ନେଇଥିଲେ ନିଜର ନିଷ୍ଠା ଓ ପାରଦର୍ଶିତା ବଳରେ।
ଗାନ୍ଧୀ ଦର୍ଶନ କହେ ଅହିଂସାର ବଳ ହେଉଛି ଆତ୍ମିକ ଓ ଆଧ୍ୟାତ୍ମିକ ବଳ। ସେହି ଶିବମୟ ଉପାଦାନରେ ଗଢ଼ା ଶାସ୍ତ୍ରିଜୀଙ୍କ ପ୍ରାଣ। ସେଥିପାଇଁ ବ୍ୟକ୍ତିଗତ ଭାବରେ ତାଙ୍କର ହୃଦୟ ଥିଲା ଫୁଲ ପରି କୋମଳ। ମାତ୍ର ନେତୃତ୍ୱ ଦାୟରେ ରାଷ୍ଟ୍ରର ସୁରକ୍ଷାକୁ ନେଇ ସେ ଥିଲେ ଇସ୍ପାତ ଭଳି ଶକ୍ତ ଓ ଅନମନୀୟ। ଭାରତ ପାକିସ୍ତାନ ଯୁଦ୍ଧ ବେଳେ ପ୍ରତିପକ୍ଷକୁ ମୁହଁତୋଡ ଜବାବ ହିଁ ତା’ର ଏକ ଦୃଷ୍ଟାନ୍ତ। କେବଳ ଦେଶବାସୀ ନୁହେଁ, ଜଣେ ସରଳ, ଭଦ୍ର ଓ ଅମାୟିକ ରାଷ୍ଟ୍ରନେତାଙ୍କର ଏଭଳି ଜାତୀୟ ସ୍ବାଭିମାନ ଦେଖି ଆଚମ୍ବିତ ହୋଇଥିଲା ସମଗ୍ର ବିଶ୍ବ।
ଗାନ୍ଧିଜୀଙ୍କ ମତରେ ଅହିଂସାର ଅନ୍ତିମ ସ୍ଥଳ ହେଉଛି ଶାନ୍ତି। ଶାସ୍ତ୍ରିଜୀ ଥିଲେ ସେହି ଶାନ୍ତିର ଉପାସକ। ପାକିସ୍ତାନକୁ ପରାସ୍ତ କଲା ପରେ ବି ସେ ତା’ ଆଡ଼କୁ ବଢ଼ାଇ ଦେଇଥିଲେ ବନ୍ଧୁତାର ହାତ। ତାସ୍କେଣ୍ଟ ଚୁକ୍ତି ଅବସରରେ ପ୍ରତିପକ୍ଷକୁ ଆହ୍ବାନ ଦେଇ କହିଥିଲେ, ଉଭୟ ଦେଶ ପାଇଁ ଶାନ୍ତି ଅପରିହାର୍ଯ୍ୟ। ତେଣୁ ଉଭୟ ଦେଶ ପରସ୍ପର ବିରୋଧରେ ନ ଲଢ଼ି କ୍ଷୁଧା, ଦାରିଦ୍ର୍ୟ, ବେରୋଜଗାର, ରୋଗ ଓ ଅନ୍ଧବିଶ୍ୱାସ ବିରୋଧରେ ଲଢ଼ିବା ଉଚିତ। ତାଙ୍କର ଏ ସକାରାତ୍ମକ ଭାବନାକୁ ଅନୁଭବ କରି ତାଙ୍କୁ ଶାନ୍ତିଦୂତ ବୋଲି ସମ୍ବୋଧନ କଲା ବିଶ୍ବ।
ସରଳ ଓ ନିରାଡ଼ମ୍ବର ଜୀବନ ଜିଇବାରେ ଗାନ୍ଧିଜୀ ଥିଲେ ଭାରତୀୟତାର ପ୍ରତୀକ। ହଳେ ଚପଲ, ଗୋଟିଏ ଚରଖା, ପକେଟ ଘଡ଼ିଟେ, ଆଣ୍ଠୁ ଲୁଚୁ ନ ଥିବା ଦି’ଖଣ୍ଡ ଧୋତି ଓ ଚାଦର ଏବଂ ଖଣ୍ଡିଏ ବାଡ଼ି। ବାସ୍ ଏତିକିରେ ସେ ଜୀବନ ବିତାଇ ଦେଲେ ସାରା ଜୀବନ। ଅନୁରୂପ ଭାବରେ ଶାସ୍ତ୍ରିଜୀଙ୍କ ଜୀବନ ଶୈଳୀ ଥିଲା ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର। ସାଧୁତା ଥିଲା ତାଙ୍କ ଚରିତ୍ରର ଭୂଷଣ। ପ୍ରଧାନମନ୍ତ୍ରୀ ହେଲା ପରେ ବି ତାଙ୍କ ପାଖରେ ନ ଥିଲା ଖଣ୍ଡେ କାର୍ କିଣିବାର ସମ୍ବଳ। ଆବଶ୍ୟକତା ଦୃଷ୍ଟିରୁ ବ୍ୟାଙ୍କ୍ରୁ ଋଣ ନେଇ ସେ କାର୍ ଖଣ୍ଡିଏ କିଣିଥିଲେ ସତ, ହେଲେ ସେ ଋଣ ଶୁଝି ପାରି ନ ଥିଲେ ନିଜ ଜୀବନ କାଳ ଭିତରେ। ଶେଷରେ ସରକାରଙ୍କ ପକ୍ଷରୁ ତାହା ଶୁଝିବା ବ୍ୟବସ୍ଥା ହୋଇଥିଲା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ। ଚମ୍ପାରଣ କୃଷକ ଆନ୍ଦୋଳନରୁ ଆରମ୍ଭ(୧୯୧୭) ଗାନ୍ଧିଜୀଙ୍କ ସତ୍ୟାଗ୍ରହ। ଚାଷ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ଥିଲା ଚମ୍ପାରଣ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ଏହି କ୍ରମରେ ଖେଡା କୃଷକ ଆନ୍ଦୋଳନ, ବର୍ଦ୍ଦୋଳି ଆନ୍ଦୋଳନ, ମୋପ୍ଲା ଆନ୍ଦୋଳନ ଭାରତ ଇତିହାସରେ ଚାଷୀ ବିଦ୍ରୋହର ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଗାନ୍ଧିଜୀ କହୁଥିଲେ ଭାରତର ଗ୍ରାମ୍ୟ ସଂସ୍କୃତି ହେଉଛି ଭାରତର ପ୍ରାଣ ଏବଂ କୃଷିକୁ ନେଇ ସମୃଦ୍ଧ ହୋଇଛି ଗ୍ରାମ୍ୟ ଜୀବନ ଓ ଗ୍ରାମ ସଂସ୍କୃତି। ତେଣୁ କୃଷି ଓ କୃଷକର ଉନ୍ନତି ହେଲେ ପରିପୁଷ୍ଟ ହେବ ଭାରତୀୟ ଜନଜୀବନ। ଗାନ୍ଧିଜୀଙ୍କର ଏହି କୃଷିନୀତି ଦ୍ବାରା ପ୍ରଭାବିତ ହୋଇଥିବା ଶାସ୍ତ୍ରିଜୀ ଥିଲେ ସବୁଜ ବିପ୍ଳବ ଓ ଶ୍ବେତ ବିପ୍ଳବର କର୍ଣ୍ଣଧାର। ଦେଶ ରକ୍ଷାର ଅସଲ ଦାୟିତ୍ୱ ରହିଛି କୃଷକ ଓ ସୈନିକ ଉପରେ। ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଏକଥା ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଏବଂ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯବାନମାନଙ୍କୁ ସୀମାନ୍ତରେ ପ୍ରାଣ ମୂର୍ଚ୍ଛା ଲଢ଼ିବା ପାଇଁ ଓ କୃଷକମାନଙ୍କୁ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବାପାଇଁ ଶୁଣେଇ ଥିଲେ ଉତ୍ସାହପ୍ରଦ ଆହ୍ବାନ। ଏହି ଅବସରରେ ସେ
(ରାମଲୀଳା ମଇଦାନ -୨୬ ଜାନୁୟାରୀ ୧୯୬୫)ଯେଉଁ ‘ଜୟ ଯବାନ ଓ ଜୟ କିଷାନ’ ନାରା ଦେଇଥିଲେ ତାକୁ ଏବେ ସୁଦ୍ଧା ଘୋଷି ହେଉଛି ଦେଶ। ଅଥଚ କୃଷକମାନଙ୍କ ଅସଲ ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ପ୍ରଦର୍ଶନ କରିନି ସ୍ବାଧୀନ ଭାରତର କୌଣସି ସରକାର।
ସ୍ବାଧୀନତା ପ୍ରାପ୍ତି ପରେ କୃଷକର ସ୍ଥିତି କିପରି ହେବା ଉଚିତ, ଏ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧୀ କହିଥିଲେ-ସ୍ବାଧୀନ ଭାରତରେ ସେମାନଙ୍କୁ ଯୋଗ୍ୟ ସ୍ଥାନ ମିଳିବା ଉଚିତ। ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ସମସ୍ୟା ସମାଧାନ ହେବା ଦରକାର। ମାତ୍ର ବିଡ଼ମ୍ବନାର ବିଷୟ କୃଷକ ଏବେ ନିଜର ଦାବି ନେଇ ବର୍ଷ ବର୍ଷ ଧରି ଧାରଣା ଦେଉଛି ରାଜରାସ୍ତାରେ। ଏଭଳି ସ୍ଥିତିରେ ସରକାର ଯଦି ସେହିମାନଙ୍କ କଥାକୁ ସହୃଦୟତାର ସହ ବିଚାର କରନ୍ତେ, ତେବେ ତାହା ହିଁ ହୁଅନ୍ତା ଦୁଇ ମହାପୁରୁଷ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ:୯୪୩୮୮୫୫୦୮୮