ଆମେରିକାର ସିକ୍ରେଟ୍‌ ଅପରେଶନକୁ କଡ଼ା ନିନ୍ଦା କଲେ ତାଲିବାନ ସରକାର

କାବୁଲ,୨।୮: ଆଫଗାନିସ୍ତାନର କାବୁଲରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଅଲ ଜାୱାହିରି ନିହତ ହୋଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ଆମେରିକା ପକ୍ଷରୁ କରାଯାଇଥିବା ଏହି ଅପରେଶନକୁ ତୀବ୍ର ନିନ୍ଦା କରାଯାଇଛି। ତାଲିବାନ ସରକାରଙ୍କ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ଆମେରିକାର କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏହା ସହିତ, ଏହାକୁ ଅନ୍ତର୍ଜାତୀୟ ନୀତି ଏବଂ ଦୋହା ଚୁକ୍ତିର ଉଲ୍ଲଂଘନ ବୋଲି କହିଛନ୍ତି।
ଜାବୁଲ୍ଲା କହିଛନ୍ତି, ଅଗଷ୍ଟ ୧, ୨୦୨୨ରେ କାବୁଲ ସହରର ଶେରପୁର ଅଞ୍ଚଳର ଆବାସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ ହୋଇଥିଲା। ପ୍ରଥମେ ଆକ୍ରମଣ ବିଷୟରେ କିଛି ସ୍ପଷ୍ଟ ଭାବେ ଜଣା ନ ଥିଲା। କିନ୍ତୁ ତାଲିବାନ ସରକାରଙ୍କ ତରଫରୁ ସୁରକ୍ଷା ଏବଂ ଗୁପ୍ତଚର ସଂସ୍ଥା ଦ୍ୱାରା ଏହାର ଅନୁସନ୍ଧାନ କରାଯିବା ପରେ ଆମେରିକାର ଡ୍ରୋନ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି। ଆମେରିକାର ଡ୍ରୋନ ଆକ୍ରମଣକୁ ତାଲିବାନ ସରକାର ଦୃଢ ନିନ୍ଦା କରୁଛି।
ସୂଚନାଯୋଗ୍ୟ, ଆଫଗାନିସ୍ତାନର ଅଲ-କାଏଦା ମୁଖ୍ୟଙ୍କୁ ଟାର୍ଗେଟ କରି ଗତକାଲି ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ହୋଇଛି। ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲେ ଅଲ-ଜାୱାହିରି। ଲାଡେନଙ୍କ ମୃତ୍ୟୁ ପରେ ଅଲ-କାଏଦାର ମୁଖ୍ୟ ଥିବା ଅଲ ଜାୱାହିରିଙ୍କ ମୁଣ୍ଡ ଉପରେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା। ଶେଷରେ ଆମେରିକା ଆକ୍ରମଣରେ ଅଲ-ଜାୱାହିରି ନିହତ ହୋଇଛନ୍ତି।

Share