ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ

କାବୁଲ,୧୨।୧୧: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଭାରତକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଆଖ୍ୟା ଦେଇଛି। ତାଲିବାନ ଭାରତ ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛି। ଆଫଗାନିସ୍ତାନ ସମ୍ବନ୍ଧରେ ଭାରତରେ ଆୟୋଜିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ବୈଠକକୁ ନେଇ ତାଲିବାନ ସନ୍ତୋଷ ବ୍ୟକ୍ତି କରିଛି। ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଯଦିଓ ଆମେ ଏହି ବୈଠକରେ ଉପସ୍ଥିତ ନ ଥିଲୁ, ଆଫଗାନିସ୍ତାନର ସ୍ବାର୍ଥ ପାଇଁ ଏହି ବୈଠକକୁ ବିଶ୍ୱାସ କରୁ। କାରଣ ଏହା ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତିକୁ ବିଚାର କରୁଛି ଏବଂ ଏଥିରେ ସମ୍ପୃକ୍ତ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ବିଷୟରେ ଚିନ୍ତା କରୁଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୦ରେ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୭ଟି ଦେଶର ସୁରକ୍ଷା ପରାମର୍ଶଦାତା/ସଚିବମାନେ ଯୋଗ ଦେଇଥିଲେ। ଏହା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆଫଗାନିସ୍ତାନବାସୀଙ୍କୁ ଭାରତର ସମର୍ଥନ ବହୁତ ସ୍ପଷ୍ଟ। ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ବର୍ଷ ବର୍ଷ ଧରି ଆଫଗାନିସ୍ତାନର ସମସ୍ତ ଲୋକଙ୍କୁ ସାହାଯ୍ୟ କରି ଆସୁଛୁ।

Share