ବାଇକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର

ରାୟଗଡ଼ା,୧୭।୬(ଆଶିଷ ରଞ୍ଜନ ପଣ୍ଡା): ବାଇକ୍‌କୁ ଧକ୍କାଦେଇ ଜଳିଗଲା ଟ୍ୟାଙ୍କର। ଏହିଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ୱର ମାଝି ଓ ଶଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁର ଓଡ଼ିଆ ମାଝି । ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗାଁର ସୁରେଶ ମାଝି। କୌଣସି କାମରେ ଏମାନେ ରାଫକଣାଠାରୁ ଟିକିରି ଅଭିମୁଖେ ଫେରୁଥିବା ସମୟରେ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ବାଇକ୍‌କୁ ପ୍ରାୟ ୨୦୦ ମିଟର ଘୋଷାଡି ନେବା ଦ୍ବାରା ବାଇକ୍‌ ଏବଂ ଟ୍ୟାଙ୍କରରେ ନିଆଁ ଲାଗି ଜଳି ଯାଇଛି। ଖବରପାଇ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି। କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାୟଗଡ଼ାଠାରୁ ଟିକିରି ଓ କାଶୀପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି॥

Share